ସେନାଧ୍ୟକ୍ଷ ଜେନେରାଲ ରାୱତଙ୍କ ବିବାଦୀୟ ବୟାନ: ହିଂସାକାଣ୍ଡ ପାଇଁ ମତାଇବା ନେତାପଣିଆ ନୁହେଁ

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଆସନ୍ତା ୩୧ରେ ଅବସର ନେବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ଦେଶରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ବିରୋଧ କରି ଚାଲିଥିବା ହିଂସାତ୍ମକ ଆନ୍ଦୋଳନକୁ ସେ ନାପସନ୍ଦ କରି କହିଛନ୍ତି, ଲୋକଙ୍କୁ ଭୁଲ ବାଟରେ ପରିଚାଳିତ କରିବା ଏବଂ ହିଂସାତ୍ମକ ମାର୍ଗ ଦେଖାଇବା ନେତୃତ୍ୱର ପ୍ରକୃତ ଗୁଣ ନୁହେଁ। ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଜେନେରାଲ ରାୱତଙ୍କ ଏଭଳି ‘ରାଜନୈତିକ’ ବୟାନ ବିଭିନ୍ନ ମହଲରେ ବିବାଦ ସୃଷ୍ଟି କରିଛି।

ଚଳିତ ମାସ ପ୍ରାରମ୍ଭରେ ସିଏଏ ସଂସଦରେ ପାସ୍ ହେବାପରେ ଏହାକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ଜାରି ରହିଛି। ଉତ୍ତରପ୍ରଦେଶ ଓ କର୍ଣ୍ଣାଟକରେ ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କ ହିଂସାକାଣ୍ଡ ଯୋଗୁଁ ବହୁ ଲୋକ ମୃତାହତ ହୋଇଛନ୍ତି।

ଜେନେରାଲ ରାୱତ କହିଛନ୍ତି, ତାଙ୍କୁ ହିଁ କେବଳ ନେତା କୁହାଯିବ ଯାହାଙ୍କୁ ସମସ୍ତେ ଅନୁସରଣ କରନ୍ତି। କିନ୍ତୁ ସିଏଏ କ୍ଷେତ୍ରରେ ଏହାର ବିପରୀତ ପରିଲକ୍ଷିତ ହେଉଛି। ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ବହୁସଂଖ୍ୟକ ଛାତ୍ରଛାତ୍ରୀଙ୍କୁ କିଛି ନେତା ଯେଭଳି ହିଂସାତ୍ମକ ମାର୍ଗରେ ପରିଚାଳିତ କରୁଛନ୍ତି ତାହା ନେତୃତ୍ୱକୁ ଶୋଭା ପାଉନାହିଁ।

ଜେନେରାଲ ରାୱତଙ୍କ ଏହି ମନ୍ତବ୍ୟରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସର ମୁଖପାତ୍ର ବ୍ରିଜେଶ କାଲାପ୍ପା ଟ୍ୱିଟ୍ କରି କହିଛନ୍ତି, ସିଏଏ ବିରୋଧୀ ଆନ୍ଦୋଳନକୁ ବିରୋଧ କରିବା ଅର୍ଥ ଗଣତନ୍ତ୍ରର ବିରୁଦ୍ଧାଚରଣ କରିବା। ସେହିପରି କଂଗ୍ରେସର ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ ମଧ୍ୟ ଜେନେରାଲ ରାୱତଙ୍କ ଟିପ୍ପଣୀକୁ କଡ଼ା ସମାଲୋଚନା କରିଛନ୍ତି।

ହାଇଦ୍ରାବାଦର ସାଂସଦ ତଥା ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ୍ ଅୱେସୀ ଟ୍ୱିଟର୍ରେ କହିଛନ୍ତି, ନେତୃତ୍ୱ ତା’ର ସୀମା ସରହଦ ସମ୍ପର୍କରେ ସଚେତନ ଥାଏ। ସେନାଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଜେନେରାଲ ରାୱତଙ୍କ ମୁହଁରେ ରାଜନେତାଙ୍କ ଭଳି ବୟାନ ଆଦୌ ଶୋଭା ପାଉନାହିଁ। ପରେ ଅୱେସୀ ଏ ସମ୍ପର୍କରେ ଗଣମାଧ୍ୟମକୁ କହିଛନ୍ତି, ସେନାଧ୍ୟକ୍ଷଙ୍କ ଏ ପ୍ରକାର ବୟାନ ମୋଦୀ ସରକାରର ସମ୍ମାନ ହାନି କରିଛି।