ୱାର୍ଲ୍ଡ ରେସଲିଂ ଚାମ୍ପିଅନଶିପ ବ୍ରୋଞ୍ଜ ପଦକ ଦୌଡ଼ରେ ବିନେଶ

ନୁର୍-ସୁଲତାନ୍ ,ଏଜେନ୍ସି : ଏଠାରେ ଚାଲିଥିବା ୱାର୍ଲ୍ଡ ରେସଲିଂ ଚାମ୍ପିଅନଶିପରେ ଭାରତର ପ୍ରମୁଖ ମହିଳା ବକ୍ସର ବିନେଶ ଫୋଗଟ ପ୍ରଥମ ରାଉଣ୍ଡରେ ବିଜୟୀ ହୋଇଥିଲେ ହେଁ ଦ୍ୱିତୀୟ ରାଉଣ୍ଡରେ ପରାସ୍ତ ହୋଇଛନ୍ତି। ତେବେ ଦ୍ୱିତୀୟ ରାଉଣ୍ଡରେ ତାଙ୍କୁ ୭-୦ରେ ପରାସ୍ତ କରିଥିବା ଜାପାନର ମାୟୁ ମୁକାଇଦା ଫାଇନାଲରେ ପ୍ରବେଶ କରିବା ଫଳରେ ବିନେଶଙ୍କ ପାଖରେ ବ୍ରୋଞ୍ଜ ପଦକ ଜିତିବାର ସୁଯୋଗ ରହିଛି। ଏଥିସହ ବିନେଶ ମଧ୍ୟ ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାର ସୁଯୋଗ ବି ପାଇଛନ୍ତି। ବିନେଶ ୫୩ କିଗ୍ରା ବର୍ଗରେ ୩ ଜଣ ପ୍ରତିଯୋଗୀଙ୍କୁ ହରାଇଲେ ବ୍ରୋଞ୍ଜ ପଦକ ଜିତିବେ। ସେହିପରି ଦୁଇଟି ବିଜୟ ତାଙ୍କୁ ଅଲିମ୍ପିକ ଟିକେଟ ଦେଇପାରିବ।

ୱାର୍ଲ୍ଡ ଚାମ୍ପିଅନଶିପରେ ନିଜର ପ୍ରଥମ ପଦକ ହାସଲ କରିବାକୁ ହେଲେ ରିପଚେଜରେ ବିନେଶଙ୍କୁ ୟୁକ୍ରେନର ୟୁଲିଆ ଖାଭାଲ୍ଡଝି ବ୍ଲାହିନ୍ୟା, ବିଶ୍ୱର ଏକ ନମ୍ବର ପ୍ରତିଯୋଗୀ ସାରା ଆନ ହିଲଡେବ୍ରାଣ୍ଟ ଓ ଗ୍ରୀନର ମାରିଆ ପ୍ରିଭୋଲାରାକିଙ୍କୁ ହରାଇବାକୁ ପଡ଼ିବ। ଜାପାନୀ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଚଳିତ ବର୍ଷ ବିନେଶ ଦ୍ୱିତୀୟ ଥର ପାଇଁ ପରାସ୍ତ ହୋଇଛନ୍ତି। ଚଳିତ ବର୍ଷ ଦୁଇ ଥରର ୱାର୍ଲ୍ଡ ଚାମ୍ପିଅନ ମୁକାଇଦାଙ୍କଠାରୁ ଚୀନରେ ଅନୁଷ୍ଠିତ ଏସିଆନ ଚାମ୍ପିଅନଶିପରେ ବିନେଶ ପରାଜୟ ବରଣ କରିଥିଲେ। ଅନ୍ୟତମ ଭାରତୀୟ ପ୍ରତିଯୋଗୀ ସୀମା ବିସଲା ୫୦ କିଗ୍ରା ବର୍ଗର ପ୍ରିକ୍ୱାର୍ଟରରେ ତିନି ଥରର ଅଲିମ୍ପିକ ପଦକ ବିଜେତା ମାରିୟା ଷ୍ଟାଡନିକଙ୍କଠାରୁ ୨-୯ରେ ପରାସ୍ତ ହୋଇଛନ୍ତି। ସେହିପରି ଅଣଅଲିମ୍ପିକ ବର୍ଗରେ ୭୨ କିଗ୍ରା କ୍ୱାଲିଫିକେସନ ରାଉଣ୍ଡରେ ଭାରତର କୋମଲ ଗୋଲେ ତୁର୍କୀର ବ୍ରେସ୍ତେ ଆଲ୍ତୁଗଙ୍କଠାରୁ ୧-୪ରେ ପରାସ୍ତ ହୋଇଛନ୍ତି। ସେହିପରି ଲଲିତା ୫୫ କିଗ୍ରା ବର୍ଗରେ ମଙ୍ଗୋଲିଆ ପ୍ରତିଯୋଗୀ ବୋଲୋରତୁୟା ବାତ ଓଚିରଙ୍କଠାରୁ ୧-୪ରେ ପରାଜୟ ବରଣ କରିଛନ୍ତି। ଉଭୟଙ୍କୁ ପରାସ୍ତ କରିଥିବା ପ୍ରତିଯୋଗୀ କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇଥିବାରୁ ଭାରତୀୟ ପ୍ରତିଯୋଗୀଙ୍କୁ ନିରାଶ ହେବାକୁ ପଡ଼ିଛି। ସୂଚନାଯୋଗ୍ୟ ଯେ ପ୍ରଥମ ରାଉଣ୍ଡରେ ବିନେଶ ରିଓ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ସୋଫିଆ ମାଟସନଙ୍କୁ ୧୩-୦ରେ ପରାସ୍ତ କରିଥିଲେ।