ବିମଲ ଜୁଲ୍‌କା ହେଲେ ନୂଆ ସୂଚନା କମିଶନର

ନୂଆଦିଲ୍ଲୀ,ଏଜେନ୍ସି: ବିମଲ ଜୁଲ୍‌କା ହେଲେ ମୁଖ୍ୟ ସୂଚନା କମିଶନର(ସିଆଇସି) । ସେ ଆଜି ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ୧୯୭୯ ବ୍ୟାଚର ମଧ୍ୟପ୍ରଦେଶ କ୍ୟାଡର ଆଇଏସ୍‌ ଅଫିସର ହେଉଛନ୍ତି ବିମଲ ଜୁଲ୍‌କା । ସେ ନିଜ ଚାକିରିରୁ ଅବସର ନେବା ପରେ ତାଙ୍କୁ ଏହି ନୂଆ ଦାୟିତ୍ୱ ଦିଆଯାଇଛି । ଗତ ଜାନୁଆରୀ ୧୧ରେ ଆଇଏସ୍‌ ସୁଧୀର ଭାର୍ଗବ ଏହି ପଦରୁ ଅବସର ନେଇଥିଲେ । ସେ ଅବସର ନେବା ପରଠାରୁ ସୂଚନା ଆୟୋଗର ଏହି ମୁଖ୍ୟ ପଦ ଖାଲି ପଡ଼ିଥିଲା ।

ଶୁକ୍ରବାର ବିମଲ ଜୁଲ୍‌କାଙ୍କୁ ଏହି ପବଦୀରେ ନିଯୁକ୍ତ କରାଯାଇଛି । ଏନେଇ ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁଲ୍‌କାଙ୍କ ବ୍ୟତିତ ଆଜି ଅମିତା ପାଣ୍ଡୋବ୍‌ଙ୍କୁ ମଧ୍ୟ ସିଆଇସର ସୁଚନା କମିଶନର ଭାବେ ନିଯୁକ୍ତ କରାଯାଇଛି । ଆଜି ଅପରାହ୍ନରୁ ସେମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅମିତା ପୂର୍ବରୁ ପଞ୍ଜାବ ସିଭିଲ ସର୍ଭିସ୍‌ କମିଶନର ସଦସ୍ୟ ରହିସାରିଛନ୍ତି ।

ସୂଚନା ଆୟୋଗରେ ମୁଖ୍ୟ ସୂଚନା କମିଶନର ସମେତ ୧୧ଟି ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି । ବର୍ତ୍ତମାନ ୬ଜଣ ସୂଚନା କମିଶନର ନିଯୁକ୍ତ ଅଛନ୍ତି ।