ଚନ୍ଦ୍ରଠୁ ୧୦୪ କିମି ଦୂରରେ ଲ୍ୟାଣ୍ଡର ‘ବିକ୍ରମ’

ବେଙ୍ଗାଲୁରୁ, ୩ା୯/ଏଜେନ୍ସି : ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ସଫଳତାର ସହ ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରିଚାଲିଛି। ଚନ୍ଦ୍ରଯାନ-୨ରୁ ଅର୍ବିଟର ଓ ଲ୍ୟାଣ୍ଡର ‘ବିକ୍ରମ’ ଗତ ସୋମବାର ଅଲଗା ହୋଇଥିଲାବେଳେ ମଙ୍ଗଳବାର ସକାଳ ୮.୫୦ରେ ଲ୍ୟାଣ୍ଡର ‘ବିକ୍ରମ’ର କକ୍ଷପଥକୁ ବଦଳାଇଛନ୍ତି (ଡି-ଅର୍ବିଟ୍) ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ବୈଜ୍ଞାନିକ। ଏହି କକ୍ଷପଥ ବଦଳାଇବାକୁ ଲ୍ୟାଣ୍ଡର ଇଞ୍ଜିନ୍କୁ ‘ଇସ୍ରୋ’ର କଣ୍ଟ୍ରୋଲ ରୁମ୍ରୁ ୩ ସେକେଣ୍ଡ୍ ଖୋଲିବା ପାଇଁ ଇସ୍ରୋର ବୈଜ୍ଞାନିକମାନେ ସିଗ୍ନାଲ୍ ଦେଇଥିଲେ। ବୈଜ୍ଞାନିକମାନଙ୍କ ଆଶାନୁରୂପ କାର୍ଯ୍ୟ କରିଥିଲା ଲ୍ୟାଣ୍ଡର।

ଏହାକୁ ବୁଧବାର ସକାଳେ ପୁଣି ଥରେ ଡି-ଅର୍ବିଟ୍ କରାଯିବ। ଏବେ ଚନ୍ଦ୍ରଠାରୁ ଲ୍ୟାଣ୍ଡର ସର୍ବନିମ୍ନ ୧୦୪ କିମି ଏବଂ ସର୍ବାଧିକ ୧୨୮ କିମି ଦୂରରେ ରହିଛି। ବୁଧବାର ପୁଣି ଡି-ଅର୍ବିଟ୍ ହେବା ପରେ ଚନ୍ଦ୍ରପୃଷ୍ଠରୁ ଏହା ସର୍ବନିମ୍ନ ୩୬ କିମି ଓ ସର୍ବାଧିକ ୧୧୦ କିମି ଦୂରରେ ରହିବ। ବିକ୍ରମ ସେପ୍ଟେମ୍ବର ୭ ରାତି ୧.୫୫ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ଏହା ପୂର୍ବରୁ ସେଦିନ ସକାଳ ୫.୩୦ରୁ ୬.୩୦ ମଧ୍ୟରେ ‘ପ୍ରଜ୍ଞାନ’ ରୋଭର ‘ବିକ୍ରମ’ରୁ ଅଲଗା ହୋଇଯିବ। ପ୍ରଜ୍ଞାନ ଗୋଟିଏ ଚନ୍ଦ୍ର ଦିବସ (ପୃଥିବୀର ୧୪ ଦିନ ସହ ସମାନ) ଆଗକୁ ଗତି କରିବ। ଲ୍ୟାଣ୍ଡର ମଧ୍ୟ ସେତିକି ସମୟ କାର୍ଯ୍ୟ କରିବ। ତେବେ ଅର୍ବିଟର ଏକ ବର୍ଷ ପର୍ଯ୍ୟନ୍ତ ଏହି ମିଶନରେ କାର୍ଯ୍ୟ କରିବ ବୋଲି ଜଣାଯାଇଛି।