ଚନ୍ଦ୍ରପୃଷ୍ଠରେ ବିକ୍ରମର ହାର୍ଡ ଲ୍ୟାଣ୍ଡିଂ ହୋଇଥିଲା: ନାସା

ନୂଆଦିଲ୍ଲୀ: ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଶୁକ୍ରବାର ଚନ୍ଦ୍ରଯାନ-୨ ସମ୍ପର୍କରେ ତା’ର ରିପୋର୍ଟ ଉପସ୍ଥାପନ କରିଛି। ଏଥିରେ କୁହାଯାଇଛି, ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଛି। ଯେଉଁଠାରେ ବିକ୍ରମ ଲ୍ୟାଣ୍ଡିଂ କରିଥିଲା, ନାସା ପକ୍ଷରୁ ସେହି ସ୍ଥାନର କେତେକ ଫଟୋ ଜାରି କରାଯାଇଛି। ତେବେ ବିକ୍ରମ କେଉଁଠାରେ ଖସିପଡ଼ିଛି, ସେ ସମ୍ପର୍କରେ କିଛି କୁହାଯାଇ ନାହିଁ।

ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ଚନ୍ଦ୍ରରେ ଏବେ ରାତି ହୋଇଥିବାରୁ ଚନ୍ଦ୍ରପୃଷ୍ଠର ଅଧିକାଂଶ ଭାଗରେ କେବଳ ଛାଇ ଦେଖିବାକୁ ମିଳୁଛି। ଏହି ଛାଇ ଭିତରେ ବିକ୍ରମ ଛପି ରହିଥାଇ ପାରେ ବୋଲି ଅନୁମାନ କରାଯାଉଛି। ନାସା ଅକ୍ଟୋବରରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅନ୍ଧକାର ହଟିବା ପରେ ପୁଣି ତା’ର ଅର୍ବିଟର ‘ଏଲଆରଓ’ କ୍ୟାମେରାରେ ବିକ୍ରମକୁ ଠାବ କରିବା ପାଇଁ ତା’ର ଫଟୋ ନେବାକୁ ଉଦ୍ୟମ କରିବ। ଏଥିପୂର୍ବରୁ ମଧ୍ୟ ନାସା ଏଭଳି ଉଦ୍ୟମ କରିଥିଲେ ମଧ୍ୟ କୌଣସି ସଫଳତା ହାସଲ କରିପାରି ନଥିଲା।