ବାଇକ ଚୋର ଗ୍ୟାଙ୍ଗ ଗିରଫ, ୭ ବାଇକ ଜବତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାଇକ ଚୋରି କରୁଥିବା ଏକ ଗ୍ୟାଙ୍ଗକୁ ଆଜି ଝାରସୁଗୁଡ଼ା ପୁଲିସ ଗିରଫ କରିବା ସହ ସେମାନଙ୍କ ନିକଟରେ ଥିବା ୭ଟି ବାଇକକୁ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ପାହାଡ଼ି ମନ୍ଦିରର ମଙ୍ଗଳ ଜୟପୁରିଆ, ବୁରୋମାଲର କୃଷ୍ଣ କୁମ୍ଭାର, ବେଲପାହାଡ଼ର ଜିତୁ କଣ୍ଟା ଓ ଦିପୁପଡ଼ାର ସୋନୁ କୁମ୍ଭାର ବୋଲି ପୁଲିସ ସୂଚନା ଦେଇଛି।

ସୂଚନା ଅନୁଯାୟୀ, ଏହି ଚୋରମାନେ ଗତ ୨୬ ତାରିଖରେ ଝାରସୁଗୁଡ଼ା ମାରୱାଡ଼ିପଡ଼ା ସ୍ଥିତ ପୋଷ୍ଟ ଅଫିସ ଗଳିର ଏକ ଘରୁ ଅପରାହ୍ଣ ୧ଟା ୩୦ରେ ଏକ ସ୍କୁଟିକୁ ଚୋରି କରିଥିଲେ। ଏହି ଚୋରି ଘଟଣାଟି ସାମ୍ନାଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ଼ ହୋଇଥିଲା। ସ୍କୁଟି ମାଲିକ ଝାରସୁଗୁଡ଼ା ଥାନାରେ ଅଭିଯୋଗ କରିବା ସହ ସିସିଟିଭି ଫୁଟେଜ ଦେଖାଇଥିଲେ। ଏହାକୁ ଆଧାର କରି ପୁଲିସ ଆଜି ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।