ବାଇକ–ସ୍କୁଟି ମୁହାମୁହିଁ, ୨ ହୋମଗାର୍ଡ ସମେତ ୩ ଗୁରୁତର

ଦେବଗଡ,ଏନଏନଏସ : ଦେବଗଡ ଥାନା ଅନ୍ତର୍ଗତ ହଦମୁଣ୍ଡା ଘାଟି ଦେଇଯାଇଥିବା ୫୩ ନଂ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ଘଟି ୨ ଜଣ ହୋମଗାର୍ଡ ସମେତ ୩ ଜଣ ଗୁରୁତର ଆହତ ହୋଇ ବୁର୍ଲା ଡାକ୍ତରଖାନକୁ ସ୍ଥାନାନ୍ତରୀତ ହୋଇଥିବା ଜଣା ପଡିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସଂନ୍ଧ୍ୟା ପ୍ରାୟ ୭ଟା ସମୟରେ ଦେବଗଡ ରିଜର୍ଭ ପୁଲିସ ଠାରେ ଅବସ୍ଥାପିତ ଅଜୟ ସାହୁ ଓ ଉତ୍ତମ ନାଏକ ନାମକ ୨ ଜଣ ହୋମଗାର୍ଡ ନିଜ ଘର ଟିଙ୍କବିର ରୁ କାର୍ଯ୍ୟରେ ଯୋଗ ଦେବା ପାଇଁ ବାଇକ ଯୋଗେ ଆସୁଥିବା ବେଳେ ହଦମୁଣ୍ଡା ଘାଟି ଚଢୁଥିବା ସମୟରେ ସମ୍ମୁଖ ଦିଗରୁ ଦେବଗଡ ପଟୁ ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଲ ଥାନା ଅଚଂଳର ପିନୁ ଶତପଥି ନାମକ ଅନ୍ୟ ଜଣେ ଯୁବକ ଏକ ସ୍କୃଟି ଯୋଗେ ନିଜ ଗ୍ରାମକୁ ଫେରୁଥିବା ବେଳେ ଘାଟି ନିକଟରେ ମୁହା ମୁହିଁ ଧକ୍କା ହୋଇଥିଲେ।

ଫଳରେ ୩ ବାଇକ ଆରୋହି ରାସ୍ତାରେ ଛିଟିକିପଡି ଗୁରୁତର ହୋଇଥିଲେ।ବାଟରେ ଯାଉଥିବା ଅନ୍ୟ କେତେକ ଗାଡି ଚାଳକ ଏହା ଦେଖି ଆମ୍ବୁଲାନ୍ସ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତୀ କରିଥିଲେ। ମାତ୍ର ସେମାନଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଗୁରୁତର ୩ ଜଣ ଙ୍କୁ ଡାକ୍ତର ବୁର୍ଲା ଡାକ୍ତରଖାନା କୁ ଅଧିକ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରିଥିବା ଜଣା ପଡିଛି ।