ଚୋରା ବାଇକ୍ ରାକେଟ ପର୍ଦ୍ଦାଫାଶ : ୪ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୁଲିସ ଆଜି ଏକ ଚୋରା ବାଇକ୍ ରାକେଟର ପର୍ଦ୍ଦାଫାସ କରିବା ସହ ୪ଟି ବାଇକ୍ ଜବତ କରିଛି। ଏଥିରେ ସମ୍ପୃକ୍ତ ୪ ବାଇକ୍ ଲୁଟେରାଙ୍କୁ ଗିରଫ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସପି ମନୋଜ କୁମାର ମାହାନ୍ତ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଗଡ଼ଠାରେ ଗତ ୧୫ ତାରିଖ ଦିନ ଅନୀଲ କୁମାର ରଣାଙ୍କ ଏକ ବାଇକ ଚୋରି ହୋଇଥିବା ନେଇ ସେ ଦେବଗଡ ଥାନାରେ ଅଭିଯୋଗ କରିଥିଲେ।

ଏନେଇ ତଦନ୍ତକାରୀ ଅଧିକାରୀ ବୁଦ୍ଧରାଏ ମାଝୀ ଏବଂ ପ୍ରଦୀପ ରଞ୍ଜନ ପାତ୍ର ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଦେବଗଡ଼ ପୌରାଞ୍ଚଳ ତଳଭୂଲିଆ ସାହିର ଆକାଶ ବେହେରା, ମଠ ସାହିର ଟୁଲୁ ଓରଫ ଦେବାଶିଷ ମିଶ୍ର, ଆଲୋକ ବେହେରା ଏବଂ ତଳଭିତିରିଆ ସାହିର ପିଣ୍ଟୁ ଓରଫ ରମା ଶଙ୍କର ନାଏକଙ୍କ ସମ୍ପୃକ୍ତି ଥିବା ଜାଣିବାପରେ ସେମାନଙ୍କୁ ଅଟକ ରଖି ପଚରାଉଚୁରା କରିଥିଲେ। ଏହି ସମୟରେ ଅଭିଯୁକ୍ତମାନେ ଉପରୋକ୍ତ ବାଇକ ସହ ଅନ୍ୟ ୩ଟି ବାଇକ ଚୋରି କରିଥିବା ସ୍ୱୀକାର କରିବାପରେ ସେମାନଙ୍କ ଠାରୁ ୪ଟି ବାଇକ୍ ଜବତ କରିବା ସହ ସେମାନଙ୍କୁ ଗିରଫ କରାଯାଇଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟଚାଳାଣ କରାଯିବ ବୋଲି ଏସପି ଶ୍ରୀ ମାହାନ୍ତ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର, ସବ୍ ଇନ୍ସପେକ୍ଟର ପ୍ରଦୀପ ରଞ୍ଜନ ପାତ୍ର ଓ ବୁଦ୍ଧରାଏ ମାଝୀ ଉପସ୍ଥିତ ଥିଲେ।