ବାଇକ୍ ପଛରେ ଧକ୍କା ଦେଲା ପିକଅପ୍ ଭ୍ୟାନ୍; ବାଇକ୍ ଆରୋହୀ ମୃତ

ହରିଚନ୍ଦନପୁର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଶଗଡପଟା ଛକ ନିକଟରେ ବାଇକ୍ ପଛରେ ଧକ୍କା ଦେଲା ପିକପ୍ ଭ୍ୟାନ୍ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ପିକପ୍ ଭ୍ୟାନଟି ରାସ୍ତା କଡକୁ ଓଲଟି ପଡିଥିଲା । ଖବର ଅନୁଯାୟୀ ଆଜି ସନ୍ଧ୍ୟା ୫ଘଟିକା ସମୟରେ(ଓଡି ୦୨ ୨ଟି ୦୯୩୭) ନମ୍ବର ପିକପ୍ ଭ୍ୟାନଟି ବାଇକ୍ ପଛରେ ଧକ୍କା ଦେଇଥିଲା । ଗାଡ଼ିଟି ଦୈତାରୀ ଅଭିମୁଖେ ଯାଉଥିବା ବେଳେ ଶଗଡପଟା ଛକ ନିକଟରେ କୈାଣସି କାରଣରୁ ଏକ ବାଇକ୍ ପଛରେ ଧକ୍କା ଦେଇ ରାସ୍ତା କଡ଼ରେ ଓଲଟି ପଡିଥିଲା ।

ବାଇକରେ ଉକ୍ତ ଗ୍ରାମର ରାଜକିଶୋର ନାଏକ(୪୨) ଭଗାମୁଣ୍ଡାରୁ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକମାନେ ପିକପ୍ ଭ୍ୟାନ ଡ୍ରାଇଭର ତନ୍ମୟ ମହାନ୍ତକୁ ମାଡ଼ ମାରିବା ସହ ବାନ୍ଧି ପକାଇଥିଲେ । ରାଜକିଶୋରକୁ ଗୁରୁତର ଅବସ୍ଥାରେ କଟକରୁ ଆସୁଥିବା ଏକ ଆମ୍ବୁଲାନ୍ସ ଯୋଗେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଚିକିତ୍ସା ଆରମ୍ଭ ପୂର୍ବରୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇଥିବା ପିକପ୍ ଭ୍ୟାନଟି ଯଶିପୁର ଅଞ୍ଚଳର ମିନକେତନ ସେଠୀଙ୍କ ନାମରେ ରହିଛି ବୋଲି ଜଣାପଡିଛି ।