ଗୋଟିଏ ବାଇକରେ ଯାଉଥିଲେ ୪ଜଣ, ତାପରେ ଘଟିଲା ବଡ ଦୁର୍ଘଟଣା

ରାଉରକେଲା,ଏନ୍ଏନ୍ଏସ୍: ଦୁର୍ଘଟଣା ରୋକିବା ପାଇଁ ସରକାର ନୂଆ ମୋଟର ଯାନ ଆଇନ୍‌କୁ କଡାକଡ଼ି ଭାବେ ପାଳନ କରୁଛନ୍ତି। ଏହା ସତ୍ତ୍ୱେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ବେପରୁଆ ଗାଡ଼ି ଚାଳନା ଯୋଗୁଁ ଯାଉଛି ଜୀବନ। ଆଜି ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରାଉରକେଲାରେ ଘଟିଛି। ଗୋଟିଏ ବାଇକ୍‌ରେ ୪ ଜଣ ସାଙ୍ଗ ଘରକୁ ଫେରୁଥିବା ବେଳେ ରାସ୍ତାରେ ପଡ଼ି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ପ୍ରକାଶଯୋଗ୍ୟ, ଝାରବେଡ଼ା ଗାଁର ଅରବିନ୍ଦ ସିନ୍ଦୁର, ମଞ୍ଜିତ ସିନ୍ଦୁର, ପ୍ରକାଶ ଓ ଅନ୍ୟ ଜଣେ ନୀଳଶୈଳ ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ପାଠ ପଢ଼ନ୍ତି। ସବୁଦିନ ପରି ଆଜି ୪ ସାଙ୍ଗ କଲେଜ ଯାଇଥିଲେ। କଲେଜ ସରିବା ପରେ ୪ ସାଙ୍ଗ ଅପରାହ୍ନରେ ୩ଟା ବେଳେ ଗୋଟିଏ ବାଇକ୍‌ରେ ଘରକୁ ଫେରୁଥିଲେ। ତେବେ ରାଉରକେଲା ୨୦ ନମ୍ବର ସେକ୍ଟର ହିଲ୍‌ ଟପ୍‌ ଛକ ନିକଟରେ ଭାରସାମ୍ୟ ହରାଇ ସେମାନେ ପଡ଼ିଯାଇଥିଲେ। ଫଳରେ ଘଟଣା ସ୍ଥଳରେ ଅରବିନ୍ଦଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଜଣେ ଛାତ୍ରଙ୍କୁ ରାଉରକେଲା ସରକାରୀ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଏବେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।