ଥୁଆମୂଳ ରାମପୁର,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଗୋପାଳପୁର ଗ୍ରାମ ପଞ୍ଚାୟତ ଅଧୀନ ତୁନାପାରି ଠାରୁ ୩ ଜଣ ଏକ ବାଇକରେ ତୁକୁଗୁଡାକୁ ଆସୁଥିବା ବେଳେ ତୁନାପାରି ମଶାଣି ନିକଟରେ ବାଇକଟି ଭାରସାମ୍ୟ ହରାଇ ପଡିଯାଇଥିଲା। ଫଳରେ ବାଇକ୍ ଚାଳକ ସହିତ ଏହି ବାଇକ୍ରେ ବସିଥିବା ଅନ୍ୟ ଦୁଇ ଆରୋହୀ ମଧ୍ୟ ଗୁରୁତର ହୋଇଥିବା ସୂଚନା ମିଳିଛି।
ଘଟଣାସ୍ଥଳରେ ୧୦୮ ଅମ୍ବୁଲାନ୍ସ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପ୍ରାଥମିକ ଚିକିତ୍ସା ପାଇଁ ଅଣାଯାଇଥିଲା। ଆହତ ମାନେ ହେଲେ ବାଇକ୍ ଚାଳକ ଶୁଣ୍ଢିଯୁବା ଗାଁର ସୋଭାସିଂ ମାଝୀ(୨୫), ତୁକୁଗୁଡା ଗ୍ରାମର ମୁତେସିଂ ମାଝୀ(୫୦) ଏବଂ ତୁକୁଗୁଡା ଗ୍ରାମର ବାସନ୍ତୀ ନାଏକ(୨୫)। ବାସନ୍ତୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିବା ବେଳେ ଅନ୍ୟ ଦୁଇଜଣ ବିପଦ ମୁକ୍ତ ଥିବା ସୂଚନା ଦେଇଛନ୍ତି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ସମ୍ବିତ ବିଶ୍ବାଳ।