ଘରୋଇକରଣ ହେବ ବିଜୁ ପଟ୍ଟନାୟକ ବିମାନବନ୍ଦର

  • ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନବନ୍ଦର ଘରୋଇକରଣ ହେବ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ବିକାଶ, ପରିଚାଳନା ଏବଂ ମ୍ୟାନେଜମେଣ୍ଟ ଘରୋଇ କମ୍ପାନୀ ହାତରେ ରହିବ। ଆଜି ରାଜ୍ୟ ସଭାରେ ବିଜେଡି ସାଂସଦ ସୁବାସ ସିଂହଙ୍କ ପ୍ରଶ୍ନର ଉତ୍ତରରେ ବେସମାରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ବି.କେ. ସିଂହ ଏହି ତଥ୍ୟ ରଖିଛନ୍ତି। ୨୦୦୮ରେ ଗ୍ରୀନଫିଲ୍ଡ଼ ବିମାନବନ୍ଦର ନୀତି ଅନୁସାରେ ସରକାରୀ ବା ଘରୋଇ ସଂସ୍ଥା ଦ୍ୱାରା ବିମାନବନ୍ଦରର ସାମଗ୍ରୀକ ବିକାଶ ପାଇଁ ନିଷ୍ପତ୍ତି ହୋଇଥିଲା।
    ରାଜ୍ୟ ସରକାର ଚାହିଁଲେ ବିମାନବନ୍ଦରର ବିକାଶ ଦାୟିତ୍ୱ ମଧ୍ୟ ସମ୍ଭାଳିପାରିବେ ବୋଲି ନୂଆ ନୀତିରେ ସ୍ପଷ୍ଟ ଅଛି। ୨୦୦୬ ମସିହାରେ ଦିଲ୍ଲୀ ଓ ମୁମ୍ବାଇ ବିମାନବନ୍ଦର ପିପିପି ମୋଡ଼ରେ ବିକାଶ କରାଯାଇଛି। ସେପ୍େଟମ୍ବର ୫, ୨୦୧୯ରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ୧୯୦ତମ ବୈଠକରେ ଭୁବନେଶ୍ୱର, ବାରାଣସୀ, ଅମୃତସର, ରାୟପୁର, ଇନ୍ଦୋର ଓ ତ୍ରିଚି ବିମାନବନ୍ଦରର ପରିଚାଳନା ଦାୟିତ୍ୱ ପିପିପି ମୋଡ଼ରେ ଘରୋଇ କମ୍ପାନୀ ହାତକୁ ଟେକି ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ବିମାନବନ୍ଦରରେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ସହ ଅନ୍ତର୍ଜାତୀୟସ୍ତରର ଯାତ୍ରୀ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେବାକୁ ବିଜେଡି ଦାବି କରିଛି।