ପରଲୋକରେ ବିଜୁ ଖୋଟେ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ଜଣାଶୁଣା ବଲିଉଡ ଅଭିନେତା ବିଜୁ ଖୋଟେଙ୍କର ୭୭ ବର୍ଷ ବୟସରେ ମୁମ୍ବାଇସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ସୋମବାର ସକାଳ ପ୍ରାୟ ୬.୪୫ରେ ଶୋଇଥିବା ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ବିଜୁଙ୍କ ପୂରା ନାଁ ବିଠଲ ବାପୁରାଓ ଖୋଟେ। ଡିସେମ୍ବର ୧୭, ୧୯୪୧ରେ ବମ୍ବେରେ ଜନ୍ମଗ୍ରହଣ କରିଥିଲେ ସେ। ବିଜୁଙ୍କ ବଡ଼ଭଉଣୀ ଶୁଭା ଖୋଟେ ମଧ୍ୟ ବଲିଉଡରେ ଜଣେ ନାମକରା ଅଭିନେତ୍ରୀ।
୧୯୬୪ର ‘ୟା ମାଲକ’ ଫିଲ୍ମରୁ ଅଭିନୟ ଆରମ୍ଭ କରିଥିବା ବିଜୁ ତାଙ୍କର ପାଞ୍ଚ ଦଶନ୍ଧିର ଅଭିନୟ କ୍ୟାରିୟରରେ ପ୍ରାୟ ୩ ଶହେରୁ ଅଧିକ ହିନ୍ଦୀ ଓ ମରାଠୀ ଫିଲ୍ମରେ ଅଭିନୟ କରିଛନ୍ତି। ଫିଲ୍ମ ବ୍ୟତୀତ ଅନେକ ମରାଠୀ ଥିଏଟରରେ ମଧ୍ୟ ସେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ହିନ୍ଦୀ ଫିଲ୍ମ ‘ସୋଲେ’ରେ ଡକାୟତ କାଲିଆ ଚରିତ୍ରରେ ତାଙ୍କ ଅଭିନୟ ଥିଲା ବେଶ ନିଖୁଣ।
ଏ ଫିଲ୍ମରେ ତାଙ୍କର ଲୋକପ୍ରିୟ ସଂଳାପ ‘ସର୍ଦ୍ଦାର ମୈନେ ଆପକା ନମକ ଖାୟା ହେ’କୁ ଦର୍ଶକ ଆଜି ବି ଭୁଲିନାହାନ୍ତି। ଏ ଫିଲ୍ମରୁ ମିଳିଥିବା ଜବରଦସ୍ତ ଲୋକପ୍ରିୟତା ପରେ ବିଜୁ, ସଲମାନ, ଆମୀର ଖାନ ଅଭିନୀତ ‘ଅନ୍ଦାଜ ଅପନା ଅପନା’ରେ ରବର୍ଟ ଚରିତ୍ରରେ ଅଭିନୟ କରି ଦର୍ଶକୀୟ ଆଦୃତି ଲାଭ କରିଥିଲେ। ବିଜୁଙ୍କ ଅଭିନୀତ ଲୋକପ୍ରିୟ ଫିଲ୍ମ ତାଲିକା ବେଶ ଲମ୍ବା। ତନ୍ମଧ୍ୟରେ ରହିଛି – ‘ରାମପୁର କି ଲଖନ’, ‘କୟାମତ ସେ କୟାମତ ତକ’, ‘ବେନାମ ବାଦଶା’, ‘କର୍ଜ ଚୁକାନା ହେ’, ‘ବନଜାରନ’, ‘ଆଶିକ ଆୱାରା’, ‘ଜୟ କିଶନ’, ‘ଚାଇନାଗେଟ, ‘ମେଲା’, ‘ପୁକାର’ ଇତ୍ୟାଦି। ୧୬, ଫେବ୍ରୁଆରୀ ୨୦୧୮ରେ ମୁକ୍ତିପ୍ରାପ୍ତ କମେଡି ଫିଲ୍ମ ‘ଜାନେ କୁଁ୍ୟ ଦେ ୟାରୋଁ’ ଥିଲା ବିଜୁଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର। ବିଜୁଙ୍କ ନିଧନରେ ବଲିଉଡ କଳାକାର ରିଷି କପୁର, ମାଧୁରୀ ଦୀକ୍ଷିତ, ଅଜୟ ଦେବଗନ, ଅଭିଷେକ ବଚ୍ଚନ, ସତୀଶ ଶାହ, ବୋମନ ଇରାନୀ ଓ ରାଜ ବଽର ପ୍ରମୁଖ ଶୋକବ୍ୟକ୍ତ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି।