ବିଜୁ ଯୁବବାହିନୀ ପାଇଁ ଗୋଟିଏ ବର୍ଷରେ ଖର୍ଚ୍ଚ ହୋଇଛି ୧୦୦ କୋଟି

ଭୁବନେଶ୍ୱର ,ଏନ୍ଏନ୍ଏସ୍ : ୨୦୧୮-୧୯ ଆର୍ଥିକ ବର୍ଷରେ ବିଜୁ ଯୁବବାହିନୀ ଜରିଆରେ ସରକାର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୧୦୦ କୋଟି ରୁ ଅଧିକ ଖର୍ଚ୍ଚ କରିଛନ୍ତି। ବିଧାୟକ ମୋହନ ଚରଣ ମାଝିଙ୍କ ପ୍ରଶ୍ନର ଉତ୍ତର ଦେଇ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଏହି ବର୍ଷ ମୋଟ ୧୦୦ କୋଟି ୯୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସାମାଜିକ ସେବା ପାଇଁ ୨୨ କୋଟି ୫୫ଲକ୍ଷ, ମୁଁ ହିରୋ କାର୍ଯ୍ୟକ୍ରମ ପାଇଁ ୧୯କୋଟି ୩୫ଲକ୍ଷ, କ୍ରୀଡା ଉପକରଣ ବଂଟନ ପାଇଁ ୩୭କୋଟି ୨୮ଲକ୍ଷ, ବିଭିନ୍ନ କ୍ରୀଡାର ଆୟୋଜନ ପାଇଁ ୩କୋଟି ୩୮ଲକ୍ଷ, ଯୁବ ସମାବେସ ଆୟୋଜନ ପାଇଁ ୧୭କୋଟି ୯୬ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି ୨୦୧୯-୨୦ ଆର୍ଥିକ ବର୍ଷରେ କେବଳ ସାମାଗଜିକ ସେବା କାର୍ଯ୍ୟକ୍ରମ ପାଇଁ ୩କୋଟି ୯୩ଲକ୍ଷ ଟଙ୍କା ସରକାର ଖର୍ଚ୍ଚ କରିଛନ୍ତି ବୋଲି ଜଣାପଡ଼ିଛି।

ସମସ୍ତ ଜନସାଧାରଣଙ୍କ ବିକାଶ ଓ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ଅନେକ ନୀତି ପ୍ରଣୟନ କରିବା ସହ ଆନୁସଙ୍ଗିକ ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ଏହା ଅନୁଭୂତ ହେଲା ଯେ ଜନ ସମ୍ପର୍କୀୟ ଲବ୍ଧ ସୁଯୋଗର ଉପଯୋଗ କରିବା ସହ ଯୁବବର୍ଗଙ୍କୁ ରାଜ୍ୟର ବିକାଶ ଓ ସମୃଦ୍ଧିରେ ଜଡ଼ିତ ତଥା ସମାହିତ କରିବା ସ୍ୱତନ୍ତ୍ର ଗୁରୁତ୍ୱ ପ୍ରଦାନ ଏକାନ୍ତ ଆବଶ୍ୟକ। ବିଜୁ ଯୁବ ବାହିନୀର ଆଭିମୁଖ୍ୟ ଗୁଡ଼ିକ ହେଲା – ଜଗତୀକରଣ, ବୈଷୟିକ ଉନ୍ନତି, ଯୋଗାଯୋଗ ଏବଂ ପ୍ରଯୁକ୍ତି ବିଦ୍ୟାର ସ୍ପନ୍ଦିତ ଉପଯୋଗ, ବିଶ୍ୱ ଅର୍ଥନୈତିକ ପଟ୍ଟଚିତ୍ରରେ ଭାରତର ପ୍ରାଧାନ୍ୟ ଏବଂ ସର୍ବୋପରି ପରିବର୍ତିତ ସାମାଜିକ ସ୍ଥିତିରେ ଯୁବ କଲ୍ୟାଣ ସମ୍ବନ୍ଧିତ ସମସ୍ତ ବର୍ଗ ଯଥା ସାମାଜିକ ସଂଗଠନ, ସ୍ୱେଚ୍ଛାକୃତ ଅନୁଷ୍ଠାନମାନଙ୍କ ସହଭାଗିତାରେ ରାଜ୍ୟ ସରକାର, ବିଭିନ୍ନ ପ୍ରକାରର ସହାୟତା ପ୍ରଦାନ ପୂର୍ବକ ଯୁବବର୍ଗର ରଚନାତ୍ମକ ଅଂଶଗ୍ରହଣ ତଥା ଯୋଗଦାନ ନିମନ୍ତେ କ୍ଷେତ୍ର ପ୍ରସ୍ତୁତ କରିବା।