ବିଜେପୁର ନିର୍ବାଚନରେ ବିଜେଡିକୁ ସମର୍ଥନ କରିବେ ଅଶୋକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେପୁର ରାଜନୀତିକୁ ପୁଣିଥରେ ଗୋଳିଆ କରିଛନ୍ତି ଅଶୋକ ପାଣିଗ୍ରାହୀ। ଶନିବାର ବିଜେପି ଛାଡ଼ିଥିବା ବିଜେପୁରର ଏହି ବରିଷ୍ଠ ନେତା ଚଳିତ ଉପନିର୍ବାଚନରେ ବିଜେଡିକୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି। ସମର୍ଥକ ଓ ଶୁଭେଚ୍ଛୁଙ୍କ ପରାମର୍ଶକ୍ରମେ ସେ ଉପରୋକ୍ତ ନିଷ୍ପତ୍ତି ନେଇଥିବା କହିଛନ୍ତି।

ନିଜ ପ୍ରତିକ୍ରିୟାରେ ଅଶୋକ କହିଛନ୍ତି ଯେ ଚଳିତ ଉପନିର୍ବାଚନରେ ବିଜେଡିକୁ ସମର୍ଥନ ଦେଇ ଆମେ ବିଜେପିକୁ ଠିକଣା ଜବାବ ଦେବୁ। ନିଜର ସମର୍ଥକମାନଙ୍କୁ ସାଙ୍ଗରେ ନେଇ ମୁଁ ଦଳ ପାଇଁ ପ୍ରଚାର କରିବି। ବିଜେପୁରର ବିକାଶ ପାଇଁ ଆମେ ଶାସକ ଦଳକୁ ସମର୍ଥନ କରିବୁ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ମୁଁ ଏକଛତ୍ରବାଦ ନୁହେଁ। ସମର୍ଥକଙ୍କ ମତାମତ ନେଇ ଏପରି ନିଷ୍ପତ୍ତି ନେଇଛି। ବିଜେଡି ପ୍ରତି ମୋ ସମର୍ଥନ ଅସ୍ଥାୟୀ ଏବଂ ଏହା ବିଜେପୁର ଉପନିର୍ବାଚନ ପର୍ଯ୍ୟନ୍ତ ବୋଲି ସେ କହିଛନ୍ତି।

ଅଶୋକଙ୍କ ଏପରି ଘୋଷଣା ପରେ ବିଜେଡି ଶିବିରରେ ଉତ୍ସାହରେ ବୃଦ୍ଧି ଘଟିଥିବା ଦେଖାଦେଇଛି। ସ୍ଥାନୀୟ ବିଜେଡି ନେତା ଅଶୋକଙ୍କ ଏପରି ନିଷ୍ପତ୍ତିକୁ ସ୍ୱାଗତ କରିଥିବା ବେଳେ ବିଜେପି ଏହାକୁ ପ୍ରାୟୋଜିତ ବୋଲି କହିଛି। ବିଜେପୁର ଉପନିର୍ବାଚନ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ କିଛିଦିନ ଧରି ଅଶୋକ ଦଳ ଛାଡ଼ିବା ନେଇ ଚର୍ଚ୍ଚା ହେଉଥିବାବେଳେ ସେ ମଧ୍ୟ ଏ ନେଇ ବହୁବାର ସଂକେତ ଦେଇଥିଲେ। ଏପରିକି ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ସହ ଦଳ ତାଙ୍କୁ ବିଶ୍ୱାସରେ ନେଉନାହିଁ ବୋଲି ଅଭିଯୋଗ କରିଥିଲେ। ଏପରିକି ୨୦୧୮ ଉପନିର୍ବାଚନ ପରେ ବିଜେପି ପାଇଁ ସେ ୟୁଜ୍ ଆଣ୍ଡ୍ ଥ୍ରୋ ହୋଇଯାଇଥିଲେ ବୋଲି କ୍ଷୋଭ ପ୍ରକାଶ କରିଥିଲେ। ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସେ ଦଳ ପରିତ୍ୟାଗ କରିଛନ୍ତି। ତେବେ ଅଶୋକ ଏପରି ନିଷ୍ପତ୍ତି ନେଇ ଯେ କେବଳ ବିଜେପିର ଗେମପ୍ଲାନ୍କୁ ଗଡ଼ବଡ଼ କରିନାହାନ୍ତି ବରଂ ଏହା ବିଜେଡି ପାଇଁ ପରୋକ୍ଷରେ ସୁବିଧାଜନକ ସ୍ଥିତି ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଲାଣି।