ବିହାରରେ କିଏ ହେବ ମୁଖ୍ୟମନ୍ତ୍ରୀ, ଆଜି ହେବ ନିଷ୍ପତ୍ତି

ପାଟନା, ଏଜେନ୍ସି:  ବିହାରରେ କିଏ ମୁଖ୍ୟମନ୍ତ୍ରୀ ହେବ ସେନେଇ  ଆଜି ପାଟନାରେ ନବନିର୍ବାଚିତ ଏନ୍‍ଡିଏ ବିଧାୟକଙ୍କ ବୈଠକ ବସୁଛି । ଏହି ବୈଠକରେ ଏନ୍‍ଡିଏ ଅନ୍ତର୍ଗତ ବିଜେପି, ଜେଡିୟୁ., ହିନ୍ଦୁସ୍ତାନୀ ଆୱମ୍‍ ମୋର୍ଚ୍ଚା ଏବଂ ବିକାଶଶୀଳ ଇନ୍‍ସାନ୍‍ ପାର୍ଟିର ନିର୍ବାଚିତ ସଦସ୍ୟମାନେ ଯୋଗଦେବେ। ନୀତିଶ କୁମାର ବିଧାୟକ ଦଳ ନେତା ନିର୍ବାଚିତ ହେବା  ଏକ ପ୍ରକାର ନିଷ୍ପତି  ହୋଇଛି।

ଆଜିର ବୈଠକରେ ବାଚସ୍ପତି ଚୟନ ନେଇ ମଧ୍ୟ ନିଷ୍ପତ୍ତି ନିଆଯିବ। ବୈଠକ ପରେ ଏହି ଦଳର ପ୍ରତିନିଧି ରାଜ୍ୟପାଳଙ୍କୁ ଭେଟି ଏନ୍‍ଡିଏ-ଜେଡିୟୁ. ସରକାର ଗଠନ ପାଇଁ ସେମାନଙ୍କର ସମର୍ଥନ ପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ, ରାଜ୍ୟରେ ସରକାର ଗଠନ ନେଇ ଏନ୍‍ଡିଏ ପକ୍ଷରୁ ଦାବୀ ଉପସ୍ଥାପନ କରାଯାଇଛି। ସେହି ଦୃଷ୍ଟିରୁ ରାଜ୍ୟପାଳ ସରକାର ଗଠନ ପାଇଁ ଏନ୍‍ଡିଏକୁ ଆମନ୍ତ୍ରଣ କରିବେ। ଆସନ୍ତାକାଲି ରାଜ୍ୟରେ ନୂତନ ସରକାର ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ବିଜେପି ୭୪, ଜେ.ଡି.ୟୁ. ୪୩, ହିନ୍ଦୁସ୍ତାନୀ ଆମ୍‍ ମୋର୍ଚ୍ଚା ଏବଂ ବିକାଶଶୀଳ ଇନ୍‍ସାନ୍‍ ପାର୍ଟି ୪ଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ଅନ୍ୟ ଜଣେ ସ୍ୱାଧୀନ ସଦସ୍ୟ ସୁମିତ୍‍ ସିଂହ ମଧ୍ୟ ଏନ୍‍ଡିଏକୁ ସମର୍ଥନ ନେଇ ଘୋଷଣା କରିଛନ୍ତି।