ବଡ଼ ଭାଇର ତୀର ମାଡରେ ସାନ ଭାଇ ମୃତ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କାଳିଆହତା ଫାଣ୍ଡି ଲକ୍ଷ୍ମୀନାରାୟଣ ପୁର ଢିପା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଭାଉଜ ସହ ପ୍ରେମ ସମ୍ପର୍କ ରଖିଥିବାରୁ ବଡଭାଇ ତୀର ମାରି ସାନଭାଇକୁ ହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ମୁତାବକ ବର୍ଷେ ପୂର୍ବରୁ ସାନଭାଇ ଜିତୁ ମୁଣ୍ଡାର କକା ପୁଅ ବଡଭାଇ ଶଙ୍କର ମୁଣ୍ଡାଙ୍କ ସ୍ତ୍ରୀ ଗୁରୁବାରୀ ମୁଣ୍ଡା ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଭାଇ ଶଙ୍କର ଏନେଇ ଜାଣି ପାରି ଜିତୁ ମୁଣ୍ଡାକୁ ଏଥିରୁ ଓହରି ଯିବା ପାଇଁ ବାରମ୍ବାର ତାଗିଦ କରିଥିଲା। ଏହା ସତ୍ତେ୍ୱ ବଡଭାଇର ତାଗିଦକୁ ଜିତୁ ଗୁରୁତ୍ୱ ଦେଇନଥିଲା। ଗତ ୧୫ ଦିନ ତଳେ ଜିତୁ ମୁଣ୍ଡା ଭାଉଜ ଗୁରୁବାରୀକୁ ନିଜ ଘରେ ଆଣି ରଖିଥିଲା। ଏଥିରେ ଶଙ୍କର ମୁଣ୍ଡା ଉତକ୍ଷୀପ୍ତ ହୋଇପଡିଥିଲା।

ପ୍ରତିଶୋଧ ନେବା ପାଇଁ ସୁଯୋଗ ଅପେକ୍ଷାରେ ଶଙ୍କର ଗତକାଲି ଭଣଜା ଟ୍ରାକ୍ଟର ଧରି ବିଲକୁ ହଳ କରିବା ପାଇଁ ଯାଇଥିଲା। ସେହି ଟ୍ରାକ୍ଟରରେ ଜିତୁ ଲେବର ଭାବେ କାମ କରି ଆସୁଥିଲା। ଜିତୁ ତା ନିଜ ଜମି ରେ ହଳ କରିବା ପାଇଁ ଟ୍ରାକ୍ଟର ଡ୍ରାଇଭର ପାଖକୁ ଯାଇଥିଲା। ଟ୍ରାକ୍ଟରରେ ତେଲ ସରିଯାଇଥିବାରୁ ଜିତୁ ଜମିରେ ହଳ କରିବା ପାଇଁ ଡ୍ରାଇଭର ମନା କରିବା ପରେ ଦିଜଣ ଟ୍ରାକ୍ଟର ରେ ବସି ଘରକୁ ଫେରୁଥିଲେ।

ସବୁଦିନ ପରି ଶଙ୍କର ଘର ସାମ୍ନାରେ ଟ୍ରାକ୍ଟର ରଖି ଓହ୍ଲାଇବା ବେଳେ ସୁଯୋଗ ଉଣ୍ଡି ବସିଥିବା ଶଙ୍କର ଭାଇର ଛାତିକୁ ତୀରବୀଦ୍ଧ କରିଥିଲା। ଫଳରେ ଘଟଣାସ୍ଥଳରେ ଜିତୁଙ୍କ ମୃତ୍ୟୁ ହୋଇଥିଲା। ପରେ ହତ୍ୟାକାରୀ ଭାଇ କାଳିଆହତା ଫାଣ୍ଡିରେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ଏହି ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର କାରଣ ହୋଇଛି। ପୁଲିସ ତଦନ୍ତ ଜାରି ରଖିଛି।