ଡବ୍ଲ୍ୟୁଏଚଓରେ ପୁଣି ସାମିଲ ହେବ ଆମେରିକା- ବାଇଡେନ

ୱାଶିଟନ,ଏଜେନ୍ସି: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଆମେରିକା ପୁଣିଥରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ସାମିଲ ହେବ। ଏଥିସହିତ ଚୀନ ଏହି ସଂଗଠନର ସମସ୍ତ ନୀତି ନିୟମକୁ ଯେଭଳି କଡାକଡି ଭାବେ ପାଳନ କରେ, ସେ ପ୍ରସଙ୍ଗରେ ଆମେରିକା ତୀକ୍ଷ୍ଣ ନଜର ରଖିବ ବୋଲି ମତବ୍ୟକ୍ତ କରିଛନ୍ତି। ଶୁକ୍ରବାର ଏଠାରେ ଆୟୋଜିତ ରାଷ୍ଟ୍ରପତି ବିତର୍କରେ ଭାଗ ନେବା ଅବସରରେ ବାଇଡେନ କୋଭିଡ ପ୍ରସଙ୍ଗରେ ଚୀନର ଆଭିମୁଖ୍ୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ବିଶ୍ୱବ୍ୟାପୀ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିବାବେଳେ ଚୀନ ଏହାର ଜନ୍ମଦାତା ବୋଲି ଆନ୍ତର୍ଜାତିକ ମହଲରେ ଜୋରସୋର ଚର୍ଚ୍ଚା ହୋଇଥିଲା। ତେବେ ଚୀନ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଫାଙ୍କି ଦେଇଥିବାବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହି ପ୍ରସଙ୍ଗରେ ଚୀନକୁ ଦୃଢ ସମର୍ଥନ ଜଣାଇଥିଲା। ଏଥିଯୋଗୁଁ ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଚୀନ ଉପରେ ଖପ୍ପା ହେବା ସହିତ ବିଶ୍ୱସ୍ୱାସ୍ଥ୍ୟ ସଂଗଠନରୁ ଆମେରିକା ଓହରିଯିବ ବୋଲି ଏପ୍ରିଲରେ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଆମେରିକା ପକ୍ଷରୁ ସର୍ବାଧିକ ଅନୁଦାନ ମିଳିଥାଏ। ଆମେରିକାର ଓହରିଯିବା ନିଷ୍ପତ୍ତି ପରେ ଚୀନ ଏହି ସଂଗଠନକୁ ସମସ୍ତ ପ୍ରକାର ଆର୍ôଥକ ସହାୟତା ପ୍ରଦାନ କରିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲା। ତେବେ କରୋନା ଭୂତାଣୁର ଉତ୍ପତ୍ତି ସ୍ଥଳ ଚୀନ ବୋଲି ଗତ ସେପ୍ଟେମ୍ବରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦେଶକ ଟେଡ୍ରସ ଆଢାନମ୍ ଘେବ୍ରେୟେସସ୍ ସ୍ୱୀକାର କରିଥିଲେ। ଏହା ଚୀନକୁ ଅପ୍ରୀତିକର ସ୍ଥିତରେ ପକାଇଥିଲା। ଏହାପରେ ବିଶ୍ୱ ସମୁଦାୟ ଚୀନକୁ ଘୃଣା ଚକ୍ଷୁରେ ଦେଖିବାକୁ ଆରମ୍ଭ କରିଥିଲେ। ଏପରିକି ଭାରତ ସମେତ ଏକାଧିକ ରାଷ୍ଟ୍ର ଚୀନ ବିରୋଧରେ ବ୍ୟାବସାୟିକ କଟକଣା ଲାଗୁ କରିବାକୁ କୁଣ୍ଠାବୋଧ କରିନଥିଲେ।