କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଲେ ବିଭୁତି, ଦାରିଙ୍ଗବାଡିର କଲିଙ୍ଗି ଗ୍ରାମରୁ ଆଇଏଏସ

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ତଥା ଦାରିଙ୍ଗବାଡ଼ି ବ୍ଲକ ପାଇଁ ପୁଣିଥରେ ଗୌରବ ଆଣିଛନ୍ତି ଦାରିଙ୍ଗବାଡ଼ି ବ୍ଲକ  ତାଜୁଙ୍ଗିଆ ପଞ୍ଚାୟତ କଲିଙ୍ଗି ଗ୍ରାମର ବିଭୁତିଭୂଷଣ ନାୟକ । ବିଭୁତିଭୂଷଣ ୟୁପିଏସସି ପରୀକ୍ଷାରେ  ଉତ୍ତୀର୍ଣ୍ଣ ହୋଇ ୮୧୯ ନଂ ସ୍ଥାନରେ ରହିଛନ୍ତି। ତାଙ୍କ  ପିତା ଏଲିଆସ ନାୟକ ଜଣେ ଅବସର ପ୍ରାପ୍ତ ଶିକ୍ଷକ ହୋଇଥିବା ବେଳେ ମା’ ଅଙ୍ଗନବାଡ଼ି କର୍ମୀ ଭାବେ କାର୍ଯ୍ୟରତ ଅଛନ୍ତି। ବିଭୁତି ଦାରିଙ୍ଗବାଡ଼ିସ୍ଥିତ ଲାଲବାହାଦୁର ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟରେ ଦଶମ ପଢ଼ିଥିବାବେଳେ ଭୁବନେଶ୍ୱରସ୍ଥିତ ରାଜଧାନୀ କଲେଜରେ ଯୁକ୍ତ ଦୁଇ ଓ ସ୍ନାତକ ଡିଗ୍ରୀ ହାସଲ କରିବାପରେ ମୁମ୍ବାଇସ୍ଥିତ ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସରେ ସୋସିଆଲ ଓାର୍କରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ସିଭିଲ ସର୍ଭିସରେ ସଫଳତା ପାଇବା ପାଇଁ ସେ ବାଜିରାଉତ ଆଇଏଏସ ଶିକ୍ଷା କେନ୍ଦ୍ରରେ କୋଚିଂ ନେଇଥିଲେ। ଏହାପରେ ସେ ଆସାମ ଓ କେରଳରେ କିଛି ବେସରକାରୀ ସଂସ୍ଥାରେ ମଧ୍ୟ କାମ କରିଥିଲେ।

ଏଥିସହିତ ସେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ଗବେଷକ ଭାବେ ମାଲକାନଗିରି ଜିଲ୍ଲାରେ ୪ ବର୍ଷ କାମ କରିଥିଲେ। ତାଙ୍କର ସଫଳତା ପାଇଁ ସେ  ପିତା-ମାତାଙ୍କୁ  ଶ୍ରେୟ ଦେଇଛନ୍ତି। ସୂଚନା ଅନୁସାରେ, ବିଭୁତି ୨୦୧୮ ମସିହାରେ ଓଡିଶା ପ୍ରଶାସନିକ ସେବା (ଓଏଏସ୍ )  ଉତ୍ତୀର୍ଣ୍ଣ ହୋଇ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ସେ ଦିଲ୍ଲୀସ୍ଥିତ ଭାରତୀୟ ପ୍ରତିରକ୍ଷା ସେବା ବିଭାଗରେ ତାଲିମ ନେଉଛନ୍ତି।