ଭୂଷଣ ଓ ଅନୁଭବଙ୍କ ‘ଥପ୍ପଡ’

ନିର୍ଦ୍ଦେଶକ ଅନୁଭବ ସିହ୍ନା ଓ ପ୍ରଯୋଜକ ଭୂଷଣ କୁମାର ଏକାଠି ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଏ ଯୋଡ଼ିର ପ୍ରଥମ ଫିଲ୍ମ ହେବ ‘ଥପ୍ପଡ’। ଏ ଫିଲ୍ମରେ ଫିମେଲ୍ ଲିଡ୍ ଭାବେ ଦେଖିବାକୁ ମିଳିବେ ତାପସୀ ପନ୍ନୁ। ‘ଥପ୍ପଡ’ର କାହାଣୀ ବେଶ୍ ରୋଚକ ତଥା ବାସ୍ତବଧର୍ମୀ। ମହିଳା ଓ ପୁରୁଷଙ୍କ ସମ୍ପର୍କ ଓ ଲିଙ୍ଗଗତ ସମାନତାକୁ କେନ୍ଦ୍ରରେ ରଖି ଏ ଫିଲ୍ମର କାହାଣୀ ଲେଖାଯାଇଛି। ଫିଲ୍ମର କେନ୍ଦ୍ରୀୟ ଚରିତ୍ର ଭାବେ ଦେଖିବାକୁ ମିଳିବେ ଜଣେ ପତି ଓ ପତ୍ନୀ। ଏ ଦୁଇ ଜଣଙ୍କୁ କେନ୍ଦ୍ର କରି ଫିଲ୍ମର କାହାଣୀ ଗତିଶୀଳ ହେବ।

ପୁଣି ଥରେ ଅନୁଭବ ସିହ୍ନାଙ୍କ ସହିତ ଏକାଠି ହୋଇଥିବାରୁ ଖୁବ୍ ଖୁସି ବୋଲି ଏକ ସାକ୍ଷାତକାରରେ କହିଛନ୍ତି ଭୂଷଣ। ସେ କେବଳ ଜଣେ ଭଲ ଫିଲ୍ମମେକର୍ ନୁହନ୍ତି, ବରଂ ସଙ୍ଗୀତ ଉପରେ ମଧ୍ୟ ତାଙ୍କର ଖୁବ୍ ଭଲ ଧାରଣା ରହିଛି। ସେ ସମସାମୟିକ ପରିସ୍ଥିତିକୁ ନେଇ ଫିଲ୍ମ ତିଆରି କରନ୍ତି ଏବଂ ତାଙ୍କ ଫିଲ୍ମକୁ ନେଇ ଖୁବ୍ ଆଲୋଚନା ହୁଏ ବୋଲି ମଧ୍ୟ କହିଛନ୍ତି ଭୂଷଣ।

ଅନ୍ୟପକ୍ଷରେ ଅନୁଭବ କହିଛନ୍ତି, ଯେତେବେଳେ ଦୁଇ ସୃଜନଶୀଳ ଲୋକ ଏକାଠି ହୁଅନ୍ତି, କିଛି ଭଲ କାମ ନିଶ୍ଚିତ ହୁଏ। ଭୂଷଣ କ୍ରିଏଟିଭିଟିକୁ ବେଶ୍ ଗୁରୁତ୍ୱ ଦିଅନ୍ତି। ତେଣୁ ତାଙ୍କ ସହ ଏକାଠି କାମ କରିବାକୁ ନେଇ ବେଶ୍ ଆଶାବାଦୀ ଅଛି ବୋଲି କହିଛନ୍ତି ଅନୁଭବ।