ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ସୁପ୍ରିମକୋର୍ଟ ଦ୍ୱାରା ଗଠିତ ହୋଇଥିବା ୪ ସଦସ୍ୟଙ୍କ ଟିମରୁ ଭାରତୀୟ କୃଷକ ୟୁନିୟନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭୁପିନ୍ଦର ସିଂ ମାନ ନିଜକୁ ଅଲଗା କରି ନେଇଛନ୍ତି। ଭୁପିିନ୍ଦର ଏକ ଚିଠିରେ ସୁପ୍ରିମକୋର୍ଟର ଆଭାର ବ୍ୟକ୍ତ କରି ଏହା ଘୋଷଣା କରିଛନ୍ତି। ଭୁପିନ୍ଦର ଚିଠିରେ ଲେଖିଛନ୍ତି ଯେ, ‘ଜଣେ କୃଷକ ଓ ସଂଗଠନର ନେତା ହେବା ବଳରେ ମୁଁ କୌଣସି ବି ପଦକୁ ତ୍ୟାଗ କରିପାରିବି। ମୁଁ ଦେଶ ତଥା ପଞ୍ଜାବ କୃଷକଙ୍କ ହିତ ସହିତ କୌଣସି ପ୍ରକାର ବୁଝାମଣା କରିପାରିବି ନାହିଁ। ମୁଁ ସମିତିରୁ ନିଜକୁ ଅଲଗା କରିବା ସହ ସର୍ବଦା ପଞ୍ଜାବ ଓ ଆମ କୃଷକଙ୍କ ସହ ଠିଆ ହେବି।’
ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ତରଫରୁ ଗଠିତ ପେନାଲରେ ୮୧ ବର୍ଷୀୟ ଭୁପିନ୍ଦରଙ୍କ ନାମ ସାମିଲ ହେବା ପରେ ବିବାଦ ସୃଷ୍ଟି ହୋଇଥିଲା। ଆଉ ଏବେ ସମିତିରୁ ଭୁପିନ୍ଦର ନିଜକୁ ଅଲଗା କରିବା ପରେ ଆଉ ୩ଜଣ ସଦସ୍ୟ ରହି ଯାଇଛନ୍ତି। ଏଥିରେ ଅନ୍ତରାଷ୍ଟ୍ରୀୟ ଖାଦ୍ୟ ନୀତି ଅନୁସନ୍ଧାନ ସଂସ୍ଥାର ଡା.ପ୍ରମୋଦ କୁମାର ଯୋଶୀ, କୃଷି ଅର୍ଥଶାସ୍ତ୍ରୀ ଅଶୋକ ଗୁଲାଟୀ ଓ ଶେତକାରୀ ସଂଗଠନର ଅଧ୍ୟକ୍ଷ ଅନିଲ ଧନବତଙ୍କ ନାମ ସାମିଲ ଅଛି।