ଭୁବନେଶ୍ୱରରେ ମିଳିଲା ଏତିହ୍ୟର ଭଗ୍ନାବିଶେଷ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଭୁବନେଶ୍ୱରରେ ମାଟି ତଳେ ମନ୍ଦିର ଭଳି ଢାଞ୍ଚା ଥିବା ଦେଖିବାକୁ ମିଳିଛି। ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ତଥା ତାହାର ପାରିପାଶ୍ୱର୍ିକ ମନ୍ଦିରଗୁଡ଼ିକର ବିକାଶ କାର୍ଯ୍ୟ ଜାରି ରହିଥିବାବେଳେ ଏହି ପୂରାତନ ମନ୍ଦିରର ଐତିହ୍ୟ ଭଗ୍ନାବିଶେଷକୁ ମାଟି ତଳୁ ଉଦ୍ଧାର କରାଯାଇଛି। ଯାହାକି ଖ୍ରୀଷ୍ଟପୂର୍ବ ଦଶମ ଶତାବ୍ଦୀର ପୂରାତନ ମନ୍ଦିର ଢାଞ୍ଚା ବୋଲି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) ପକ୍ଷରୁ ପ୍ରକାଶ କରାଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିରର ଉତ୍ତର ଦ୍ୱାରଠାରୁ ମାତ୍ର ଅନତି ଦୂରରେ ଥିବା ଶୁଆଶାରୀ ମନ୍ଦିର ପାଶ୍ୱର୍ ତଥା ବିନ୍ଦୁ ସାଗରକୁ ଲାଗିଥିବା ଏହି ପୂରାତନ ଐତିହ୍ୟର ଭଗ୍ନାବିଶେଷ ଠାବ କରାଯାଇଥିବା ଏଏସଆଇ ପକ୍ଷରୁ ପ୍ରକାଶ ପାଇଛି।


ସବୁଠୁ ବଡ଼ କଥା ହେଉଛି ଏହା ଲିଙ୍ଗରାଜ ମନ୍ଦିରଠୁ ମଧ୍ୟ ପୁରୁଣା ହୋଇଥିବା ଏଏସ୍ଆଇ ଆକଳନ କରିଛି। ଖନନ କାର୍ଯ୍ୟ ଜାରି ରହିଥିବାବେଳେ ବହୁ ପୂରାତନ କଳାକୃତି ମଧ୍ୟ ନଜରକୁ ଆସିଛି। ପୂରାତନ ସଭ୍ୟତାରେ ପୂଜା ପାଉଥିବା ଦେବଦେବୀଙ୍କ ପ୍ରତିମୂର୍ତ୍ତି ସହ କିଛି ମନୋହର କଳାକୃତି ମଧ୍ୟ ନଜରକୁ ଆସିଛି। ମିଳିଥିବା ସୂଚନା ମୂତାବକ, ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ସମୟରେ ଏହାର ସନ୍ଧାନ ମିଳିଥିଲା। ଏକାମ୍ର କ୍ଷେତ୍ରରେ ଏକାମ୍ର ଯୋଜନାରେ ଚାଲିଥିବା ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଖନନ କରୁଥିବା ଓଡିଶା ବ୍ରିଜ୍ ଏବଂ ନିର୍ମାଣ ନିଗମ ଲିମିଟେଡ୍ ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)କୁ ଏହି ସଫଳତା ମିଳିଥିବା ଜଣାପଡ଼ିଛି। ଶୁଆଶାରୀ ମନ୍ଦିରର ଉତ୍ତର-ପଶ୍ଚିମ କୋଣରେ ଏହି ପୁରାତନ ଐତିହ୍ୟର ସନ୍ଧାନ ମିଳିବା ପରେ ଏଏସଆଇର ଖନନ ଦଳ ଘଟଣାସ୍ଥଳରେ ପହଞ୍ଚି ଅଧିକ ନିରୀକ୍ଷଣ ଜାରି ରଖିଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଏଏସ୍ଆଇ ଖନନ ବିଭାଗର ଅଧିକାରୀ କହିଛନ୍ତି ଯେ ଏହାର ଉତ୍ତର-ପୂର୍ବ ଭାଗରେ ଏବଂ ଭବାନୀ ଶଙ୍କର ମନ୍ଦିର ପଛରେ ଅବସ୍ଥିତ ଶାରୀ ମନ୍ଦିରର ଗୋଟିଏ ସହାୟକ ମନ୍ଦିରର ଅସ୍ତିତ୍ୱ। ଏକାଦଶ ଶତାବ୍ଦୀର ଲିଙ୍ଗରାଜ ମନ୍ଦିର ପୁରାତନ ଭାବରେ ବିବେଚନା କରାଯାଉଥିବାବେଳେ ଏହା ତାହାଠୁ ବି ପୂରୁଣା ହୋଇଥିବା ଆକଳନ କରାଯାଉଛି। ଉକ୍ତ ମନ୍ଦିରର ୧୦୦ ମିଟର ଅଞ୍ଚଳକୁ ନିଷିଦ୍ଧ ଜୋନ୍ ଘୋଷିତ କରାଯାଇଛି।