ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଦ୍ୱିତୀୟ ଦିବସରେ ଟ୍ରାଫିକ ଚେକିଂ ଜୋରଦାର ହେଉଛି। ଆଜି ଭୁବନେଶ୍ୱରରେ ଘରୋଇ ଶିକ୍ଷାନୁଷ୍ଠାନର ୨ଟି ବସ୍ ସିଜ୍ କଲା ପରିବହନ ବିଭାଗ। ଉଭୟ ଗାଡିକୁ ୨୫ ହଜାର ୫ଶହ ଲେଖାଏଁ ଜରିମାନା କରାଯାଇଛି। ବୈଧ ରେଜିଷ୍ଟ୍ରେସନ ଓ ଫିଟନେସ ସାର୍ଟିଫିକେଟ ନଥିବାରୁ ଗାଡିକୁ ଫାଇନ କରାଯାଇଛି। ଗାଡି ଦୁଇଟିର ରେଜିଷ୍ଟ୍ରେସନ ଓ ଫିଟିନେସ ସାର୍ଟିଫିକେଟ ନଥିବାରୁ ୫ହଜାର, ପ୍ରଦୂଷଣ ପାଇଁ ୧୦ ହଜାର ଓ ପରମିଟ ନଥିବାରୁ ୧୦ ହଜାର ଚାଲାଣ କଟାଯାଇଛି।
ଅନ୍ୟପଟେ, ଆଜି ସୋମବାର ଥିବାରୁ ସମସ୍ତ ସରକାରୀ କାର୍ୟ୍ୟାଳୟ ସହ ବିଭିନ୍ନ ସଂସ୍ଥାର କାର୍ୟ୍ୟାଳୟ ଖୋଲା ରହିଛି। ଫଳରେ ରାସ୍ତାରେ ଗାଡି ଚଳାଚଳ ବଢ଼ିଛି। ତେଣୁ ଆଜିଠାରୁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ସହରରେ ଟ୍ରାଫିକ୍ ଚେକିଂକୁ କଡାକଡି କରାଯାଇଛି। ଜାତୀୟ ରାଜପଥ ଓ ଅନ୍ୟ ରାଜପଥ ସହ ସହରର ଗଳିକନ୍ଦିରେ ଆଜି ସକାଳୁ ସକାଳୁ ଆରମ୍ଭ ହୋଇ ଯାଇଛି। ପ୍ରଥମ ଦିନରେ ରଙ୍ଗରୁଟରେ ଗାଡି ଚଳାଇବା ଓ ହେଲମେଟ ପିନ୍ଧିବା ଉପରେ ଫୋକସ କରିଥିବା ଟ୍ରାଫିକ ପୋଲିସ ଆଜି ଦ୍ୱିତୀୟ ଦିନରେ ଟ୍ରିପିଲ ରାଇଡିଂ ଓ ମୋବାଇଲରେ ଗପିବା ଉପରେ ଫୋକସ କରିପାରେ ବୋଲି ଜଣାପଡିଛି।
ପ୍ରଥମ ଦିନରେ ରାଜ୍ୟ ବିଭିନ୍ନ ସ୍ଥାନରେ ରାତି ୯ଟା ସୁଦ୍ଧା ୧୬ଶହ ୫୦ ଜଣ ନିୟମ ଖିଲାପକାରୀଙ୍କ ଚାଲାଣ କାଟିଛି ଟ୍ରାଫିକ୍ ପୁଲିସ୍। କଟକରେ ସର୍ବାଧିକ ୨୩୫ ଜଣ ଚାଲାଣ କାଟିଛି ଟ୍ରାଫିକ୍ ପୁଲିସ୍। ସେହିପରି ବାଲେଶ୍ୱର ଜିଲ୍ଲାରେ ୧୫୫, ସମ୍ବଲପୁର ଜିଲ୍ଲାରେ ୧୧୯, ବରଗଡ଼ ଜିଲ୍ଲାରେ ୧୦୪, ଗଂଜାମ ଜିଲ୍ଲାରେ ୯୨ ଏବଂ କୋରାପୁଟ୍ ଜିଲ୍ଲାରେ ୮୪ ଜଣଙ୍କ ଚାଲାଣ କାଟିଛି ଟ୍ରାଫିକ୍ ପୁଲିସ୍।