ଏଥର ସରକାର ଗଢ଼ିବ ପ୍ରକୃତି ! ଜଳବାୟୁ ପରିବର୍ତ୍ତନକୁ ନେଇ ରାଜଧାନୀରେ ଆନ୍ଦୋଳନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ଯୋଗୁଁ ପ୍ରକୃତି ତାର ଭାରସାମ୍ୟ ହରାଇ ବସିଛି । ତେବେ ପ୍ରକୃତି ଓ ପରିବେଶର ସୁନ୍ଦରତା ଓ ସୁରକ୍ଷା କରିବା ଉଦ୍ଦେଶ୍ୟରେ ଗ୍ରୀନ ଆର୍ମି ପକ୍ଷରୁ ଜନଆନ୍ଦୋଳନ ଆରମ୍ଭ ହୋଇଛିା ୩ଶହରୁ ଅଧିକ ଲୋକ ଜଳବାୟୁ ପରିବର୍ତ୍ତନକୁ ବିରୋଧ କରିବା ସହ ଏକ ବିଶ୍ୱ ଏକ ଜଳବାୟୁ, ଅବକି ବାର୍ ନେଚର ସରକାର ପରି ବିଭିନ୍ନ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ବାହାରିଥିଲେ । ଭୁବନେଶ୍ୱର ରାମମନ୍ଦିରରୁ ଏହି ଶୋଭାଯାତ୍ରାରେ ବାହାରି ମାଷ୍ଟରକାଣ୍ଟିନ୍ ପର୍ଯ୍ୟନ୍ତ ଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅଭିନେତ୍ରୀ ଅନୁ ଚୌଧୁରୀ ଓ ଅଭିନେତା ପାର୍ଥ ସାରଥୀ ଯୋଗଦେଇଥିଲେ । ଉନ୍ମୁକ୍ତ ଫାଉଣ୍ଡେସନର ପ୍ରତିଷ୍ଠାତା ସ୍ୱେତା ଅଗ୍ରୱାଲ କହିଥିଲେ ଯେ ଜଳବାୟୁ ପରିବର୍ତନ ପରିବେଶକୁ ପ୍ରଭାବିତ କରୁଛି । ଯେଉଁମାନେ ପରିବେଶକୁ ପ୍ରଭାବିତ କରୁଛନ୍ତି, ସେମାନଙ୍କୁ ଦୃଢ଼ ଭାବରେ ବିରୋଧ କରିବାକୁ ସେ ଲୋକଙ୍କୁ ଆହ୍ୱାନ ଦେଇଥିଲେ

ଏହି ଗ୍ରୁପ୍ ଇନ୍ଧନ ବ୍ୟବହାର କରିବା, ଜୈବ ବିିବିଧତାର ସୁରକ୍ଷା, ଆବର୍ଜନାର ପୁନଃପ୍ରକ୍ରିୟାକରଣ, ଏକାମ୍ର କ୍ଷେତ୍ର ପୋଖରୀର ପୁନଃଉଦ୍ଧାର, ସହରାଂଚଳରେ ଜଙ୍ଗଲ ସୃଷ୍ଟି କରିବା ଆଦି ବିଭିନ୍ନ ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ଜଂଗଲ ବିଭାଗ ମନ୍ତ୍ରୀଙ୍କୁ ପ୍ରଦାନ କରିବେ ।

ଏହି ବିରୋଧ ଗୋଟିଏ ଗୀତରୁ ଆରମ୍ଭ ହୋଇଥିଲା । କିଟ୍ ସ୍କୁଲର ୨ଜଣ ଛାତ୍ରୀ ସୋନମ ଏବଂ ରିତିକା ଏହି ଗୀତକୁ ଗାଇଛନ୍ତିା ଏଥିରେ ଖଣ୍ଡିଗିରି ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ, ଭୁବନେଶ୍ୱର ଇନଫିଡ୍ ର ଛାତ୍ରଛାତ୍ରୀ ଓ ଗ୍ରୀନ ଆର୍ମି ଭୁବନେଶ୍ୱର ଶାଖାର ପ୍ରମୁଖ ସଦସ୍ୟ ଯୋଗଦେଇଥିଲେ । ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରିବା ପାଇଁ ରାଜଧାନୀବାସୀ ପରିବେଶ ସୁରକ୍ଷା ଦିଗରେ ସପ୍ତାହକୁ ୧ ଘଂଟା ସମୟ ଦେବାକୁ ଅନୁରୋଧ କରିଥିଲେ ।