ପୂଜା ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ସିପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀର ବିଭିନ୍ନ ମଣ୍ଡପ ବୁଲି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ । ପୂଜା ସମୟରେ ସୁରକ୍ଷା ବ୍ୟବସ୍ଥା କିଭଳି ରହିଛି ଘଟଣାସ୍ଥଳକୁ ଯାଇ ତାହା ଅନୁଧ୍ୟାନ କରିଛନ୍ତି । ପୂଜା ମଣ୍ଡପରେ ସିରିଜ୍‌ ଲୁଟ୍‌ ଓ ଦୋକାନରୁ ଦାଦାବଟି ଆଦାୟ ଘଟଣା ପରେ ପୋଲିସର ଚେତା ପଶିଛି । ଦାଦାବଟି ଆଦାୟ ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ ମଧ୍ୟ କରିଛି । ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପରେ ପାଖାପାଖି ୨୦ଟି ଲୁଟ୍‌ ଉଦ୍ୟମ ହୋଇଥିବା ଅଭିଯୋଗ ହେବା ପରେ ପୋଲିସ କମିଶନର ନିଜେ ମଣ୍ଡପ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ତେବେ ସୁରକ୍ଷା, ଶବ୍ଦ ପ୍ରଦୂଷଣ, ଅଗ୍ନି ନିରାପତ୍ତା ଏବଂ ପ୍ଲାଷ୍ଟିକ ମୁକ୍ତ ପୂଜା ଉପରେ ସେ ବିଶେଷ ଗୁରୁତ୍ୱ ଦେଇଛନ୍ତି । ରାତି ୧୨ ପରେ ଡିଜେ ଉପରେ କଟକଣା ଜାରି ହୋଇଛି । ପ୍ରତ୍ୟେକ ପୂଜା ମଣ୍ଡପରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି । ୫ଟି ସ୍ଥାନରେ ରାବଣ ପୋଡି ସମୟରେ ଯେଭଳି କୌଣସି ଅଘଟଣ ନହୁଏ ତା ଉପରେ ବିଶେଷ ଧ୍ୟାନ ଦେବା ପାଇଁ କହିଛନ୍ତି ପୋଲିସ କମିଶନର ।