ଆସନ୍ତା ୫ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍: ପର୍ଯ୍ୟଟକ ମାନଙ୍କ ପାଇଁ ଖୁସି ଖବର। ଆସନ୍ତା ୫ ତାରିଖରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ବଉଳା କୁମ୍ଭୀର ମାନଙ୍କ ଏନ୍ତୁଡ଼ିଶାଳ ଭାବେ ବିଶ୍ୱ ଦରବାରରେ ପରିଚିତ ଭିତରକନିକା ଉଦ୍ୟାନ କୁମ୍ଭୀର ମାନଙ୍କ ପ୍ରଜନନ ଋତୁ କାରଣରୁ ଗତ ମେ’ ୧ ତାରିଖରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ପ୍ରଜନନ ଋତୁ ମଧ୍ୟରେ କୁମ୍ଭୀର ମାନେ ବସା ଚିହ୍ନଟ କରି ଅଣ୍ଡା ଦେଇଥାନ୍ତି ଓ ନିର୍ଦ୍ଧାରିତ ଏହି ସମୟ ମଧ୍ୟରେ ମା କୁମ୍ଭୀରମାନେ ଅଣ୍ଡାକୁ ଜଗି ରହୁଥିବାରୁ ଅଧିକ ହିଂସ୍ର ହୋଇଥାନ୍ତି। ଯେଉଁଥିପାଇଁ କି ଏହି ତିନିମାସ ପର୍ଯ୍ୟଟକ ମାନଙ୍କ ପାଇଁ ଜାତୀୟ ଉଦ୍ୟାନ ବନ୍ଦ ରଖାଯାଇଥାଏ।

ଏଥିସହ ଚଳିତବର୍ଷ କୋଭିଡ ମହାମାରୀର ଦ୍ଵିତୀୟ ଲହର ଲକଡାଉନ ଯୋଗୁଁ ସମସ୍ତ ପର୍ଯ୍ୟଟନ ସ୍ଥଳୀ ବନ୍ଦ ରହିଥିଲା। ତେବେ ଆଜିଠୁ ରାଜ୍ୟ ସରକାର ଅନଲକ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଆସନ୍ତା ୫ ତାରିଖରୁ ଜାତୀୟ ଉଦ୍ୟାନ ଖୋଲିବାକୁ ଯାଉଥିବା ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ରହିଥିବା ଗହୀରମଥା ଅଭୟାରଣ୍ୟର ହୁକିଟୋଲା ପର୍ଯ୍ୟଟନ ସ୍ଥଳୀ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ଭିତରକନିକାରେ ବର୍ତ୍ତମାନ ଦେଶୀୟ ପକ୍ଷୀଙ୍କ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ଏମାନଙ୍କ କାକଳୀରେ ଚଉଦିଗ ଫାଟି ପଡୁଛି।