ଦେବଗଡ଼ରେ କଂଗ୍ରେସର ‘ଭାରତ ଯୋଡ଼ ଯାତ୍ରା’

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଓଡ଼ିଶାରେ ସ୍ଥଗିତ ହୋଇଥିବା କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଦେବଗଡ଼ରୁ ପୁଣି ଆରମ୍ଭ ହୋଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଝାଡ଼େଶ୍ୱର ମନ୍ଦିର ନିକଟରୁ ଉପସ୍ଥିତ ନେତା ଓ କର୍ମୀ ବନ୍ଦେ ମାତରମ୍ ଗାନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପଦଯାତ୍ରା ନଗର ପରିକ୍ରମା କରିବା ପରେ ସ୍ଥାନୀୟ ଗୋପବନ୍ଧୁ ଛକରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଶ୍ରୀ ପଟ୍ଟନାୟକ କଂଗ୍ରେସ କର୍ମୀଙ୍କୁ ଏକଜୁଟ ହୋଇ କେନ୍ଦ୍ରରେ ଥିବା ବିଜେପି ସରକାରକୁ ଗାଦିଚ୍ୟୁତ କରିବା ସହ କେନ୍ଦ୍ର ସରକାରଙ୍କ ବିଫଳତାକୁ ଘରେ ଘରେ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ । ସେହିପରି ଆଗାମୀ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ୯ରୁ ୯୦ ଆସନ ପାଇଁ ଆଜିଠାରୁ ପ୍ରୟାସ ଆରମ୍ଭ କରିବାକୁ କର୍ମୀଙ୍କୁ ଉଦବୋଧନ ଦେଇଥିଲେ । ସାଧାରଣ ସଭାରେ ବହୁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ କଂଗ୍ରେସରେ ସାମିଲ ହୋଇଥିଲେ । ପରେ ପଦଯାତ୍ରା ତିଳେଇବଣି ବ୍ଲକ ଅନ୍ତର୍ଗତ ବଣିଆକିଲିଣ୍ଡାରେ ଶେଷ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଉମାଶଙ୍କର ସାହୁ ଓ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସେମ ହେମରାମ୍ବଙ୍କ ସମେତ ବହୁ ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କ ସମେତ ହଜାର ହଜାର କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।