ପୁରୁଣା କଥା ମନେପକାଇଲେ ଭାଗ୍ୟଶ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ସଲମାନ ଖାନ ଓ ଭାଗ୍ୟଶ୍ରୀ ଷ୍ଟାରର ‘ମୈନେ ପ୍ୟାର କିୟା’ ଫିଲ୍ମକୁ କିଏ ବା ପସନ୍ଦ ନ କରିଛି! ଏ ଫିଲ୍ମରେ ଉଭୟଙ୍କ ଲଭ, ରୋମାନ୍ସ, ନିଖୁଣ ଅଭିନୟ, ମନଛୁଅାଁ ଗୀତ ଆଜି ବି ରହିଛି ଦର୍ଶକଙ୍କ ପସନ୍ଦ ତାଲିକାର ଶୀର୍ଷରେ। ଅବଶ୍ୟ ଏ ଫିଲ୍ମ ଏତେ ଲୋକପ୍ରିୟ ହେବା ପରେ ବି ସଲମାନ ଓ ଭାଗ୍ୟଶ୍ରୀଙ୍କୁ ଆଉ କୌଣସି ଫିଲ୍ମରେ ଦେଖିନାହାନ୍ତି ଦର୍ଶକ। ସଲମାନ ଲଗାତାର ଫିଲ୍ମ ପରେ ଫିଲ୍ମ କରିଚାଲିଥିଲେ ହେଁ ଭାଗ୍ୟଶ୍ରୀ ବିବାହ ଓ ପରେ ଘର ସଂସାରକୁ ନେଇ ବ୍ୟସ୍ତ ରହିଛନ୍ତି।

ନିକଟରେ ଏକ ସାକ୍ଷାତକାରରେ ଭାଗ୍ୟଶ୍ରୀ ‘ମୈନେ ପ୍ୟାର କିୟା’ ସୁଟିଂ ବେଳର ଏକ ରୋଚକ ଘଟଣା ମନେପକାଇଛନ୍ତି। ଭାଗ୍ୟଶ୍ରୀଙ୍କ କହିବାନୁସାରେ, ଏ ଫିଲ୍ମର ସୁଟିଂବେଳେ ଜଣେ ପ୍ରସିଦ୍ଧ ଫଟୋଗ୍ରାଫର ସଲମାନ ଖାନଙ୍କୁ ଉସୁକାଇଥିଲେ ଯେ, ସେ ଭାଗ୍ୟଶ୍ରୀଙ୍କୁ ଖୁବ ଜୋରରେ ଜାବୁଡ଼ି ଧରି ଚୁମା ଦିଅନ୍ତୁ, ଯାହା ଫଳରେ ସେ କିଛି ହଟ ଫଟୋ ଉଠାଇପାରିବେ। ମାତ୍ର ସଲମାନ ଏଥିରେ ରାଜି ନ ହୋଇ ଭାଗ୍ୟଶ୍ରୀଙ୍କ ଅନୁମତି ବିନା କିଛି ବି କରିବେ ନାହିଁ ବୋଲି ରୋକଠୋକ ଶୁଣାଇଦେଇଥିଲେ। ସଲମାନଙ୍କ ଏ ଜବାବରେ ଖୁବ ଖୁସି ହୋଇଥିଲେ ଭାଗ୍ୟଶ୍ରୀ। ସଲମାନଙ୍କ ସହିତ କାମ କରି ସେ ଯେ, ପୂରାପୂରି ସୁରକ୍ଷିତ, ଏହା ନିଶ୍ଚିତ ହୋଇଥିଲେ ବୋଲି ସାକ୍ଷାତକାରରେ କହିଥିଲେ ଭାଗ୍ୟଶ୍ରୀ।