ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି

ରାୟଗଡ଼ା,ଏନ୍ଏନ୍ଏସ୍: ପୂର୍ବତନ କାଉନସିଲର, ମଝିଘରିଆଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ତଥା ଆଦିବାସୀ ଯୁବନେତା ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲା ବର୍ତ୍ତମାନ ଆନ୍ଦୋଳନର ରୁପ ନେଇଛି। ଏ ନେଇ ରବିବାର ଆଦିବାସୀ ସଙ୍ଘ ପକ୍ଷରୁ ଏକ ରାଲିରେ ବାହାରି ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସେହିପରି ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସିବିଆଇ ତଦନ୍ତ ପାଇଁ ଦିଆଯାଇଛି। ଜିଲ୍ଲା ଆଦିବାସୀ ସଙ୍ଘର ସଭାପତି ତଥା କଂଗ୍ରେସ ନେତା ଆପଲୁ ସ୍ୱାମୀ କାଡ଼୍ରାକା, ସମ୍ପାଦକ ତଥା ବିଜେପି ନେତା ବସନ୍ତ ଉଲ୍ଲାକାଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ମହିଳା ଏହି ଆନ୍ଦୋଳନରେ ଯୋଗଦେଇଛନ୍ତି। ସେହିପରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ରକୁ ରାୟଗଡ଼ା ଏସଡିପିଓ ତପନ ନାରାୟଣ ରଥଙ୍କୁ ଦିଆଯାଇଛି।
ସୂଚନା ଅନୁସାରେ ଭାଗିରଥୀ ମାଣ୍ଡାଙ୍ଗିଙ୍କ ହତ୍ୟା ଘଟଣାକୁ ୯ବର୍ଷ ବିତିଯାଇଥିବା ବେଳେ ଏହି କେସଟି ଆଗକୁ ବଢ଼ୁନାହିଁ। ଫଳରେ ଏହାକୁ ସିବିଆଇ ହାତକୁ ହସ୍ତାନ୍ତର କରିବା ପାଇଁ ଜିଲ୍ଲା ଅଦିବାସୀ ମହାସଙ୍ଘ ପକ୍ଷରୁ ଦାବି ହୋଇଛି। ଗତ ୨୦୧୦ ଡ଼ିସେମ୍ବର ୧୫ ତାରିଖରୁ ମଝିଘରିଆଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ତଥା ଆଦିବାସୀ ଯୁବନେତା ଭାଗିରଥୀ ମାଣ୍ଡାଙ୍ଗି ମଝିଘରିଆଣୀ ମନ୍ଦିରରେ ମିଟିଂ ଅଛି କହି ଘରୁ ବାହାରି ଆସିଥିଲେ। ପରେ ତାଙ୍କ ପତା ମିଳିନଥିବା ବେଳେ ତାଙ୍କ ମୋଟର ସାଇକେଲ ମନ୍ଦିର ନିକଟରୁ ଉଦ୍ଧାର ହୋଇଥିଲା।

ଏହାର ୨ଦିନ ପରେ ଓଡ଼ିଶା ଆନ୍ଧ୍ର ସୀମାନ୍ତ ଆନ୍ଧ୍ରପ୍ରଦେଶର କମରଡ଼ା ଡ୍ୟାମରୁ ତାଙ୍କ ଶବ ଉଦ୍ଧାର ହୋଇଥିଲା। ପରିବାର ପକ୍ଷରୁ ରାୟଗଡ଼ା ଥାନାରେ ଡିସେମ୍ବର ୧୭, ୨୦୧୦ରେ ଏତଲା ଅଭିଯୋଗ ଦାଖଲ କରିଥିଲେ। ତେବେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିବା ବେଳେ ରାଜ୍ୟ ସରକାର ଏହି ମାମଲାକୁ ୫ ଏପ୍ରିଲ୍ ୨୦୧୧ରେ କ୍ରାଇମବ୍ରାଞ୍ଚ ତଦନ୍ତର ନିର୍ଦ୍ଦେଶ ଦେଇଥିଲେ। ଏହା ପରଠାରୁ ଏହି କେସଟି ନାଲିଫିତା ତଳେ ଚାପି ହୋଇରହିଛି।