ପରଲୋକରେ ସର୍ବୋଦୟ ନେତା ଭଗବତ ପ୍ରସାଦ ନନ୍ଦ

ସମ୍ବଲପୁର,ଏନ୍‌ଏନ୍‌ଏସ୍‌: ରାଜ୍ୟର ଜଣାଶୁଣା ସମାଜସେବୀ ସର୍ବୋଦୟ ନେତା ତଥା ଅଇନଜୀବୀ ଭାଗବତ ପ୍ରସାଦ ନନ୍ଦଙ୍କ ଆଜି ଅପରାହ୍ଣରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ଏହି ଖବର ପାଇବା ପରେ ବିଭିନ୍ନ ବର୍ଗର ବହୁ ନାଗରିକ ତାଙ୍କ ସ୍ଥାନୀୟ ଦେହେରିପାଲି ସ୍ଥିତ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ସମୟରେ ତାଙ୍କ ପତ୍ନୀ ସୌଦାମିନୀ ନନ୍ଦ, ଝିଅ ବିଜୟଲକ୍ଷ୍ମୀ ମହାପାତ୍ର, ପୁଅ ଶିବଶଙ୍କର ଓ ପ୍ରେମଶଙ୍କର, ବୋହୁ, ଜ୍ୱାଇଁ, ନାତିନାତୁଣୀ ପ୍ରମୁଖ ଜ୍ଞାତିପରିଜନ ପ୍ରମୁଖ ଉପସ୍ଥିତ ଥିଲେ।

ଭାଗବତ ପ୍ରସାଦ ନନ୍ଦ ବଲାଙ୍ଗିର ସହରରେ ଜନ୍ମ ଗ୍ରହଣ କରିଥିଲେ ପୃଥ୍ବୀରାଜ ହାଇସ୍କୁଲରୁ କୃତ୍ତିତ୍ୱର ସହିତ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ରାଜେନ୍ଦ୍ର କଲେଜରୁ ଆଇକମ୍‌. ଓ ପରେ ସମ୍ବଲପୁରର ଗଙ୍ଗାଧର ମେହେର କଲେଜରୁ ବିକମ୍ ଏବଂ ମଧୁସୂଦନ ଆଇନ କଲେଜରୁ ଏଲ୍‌ଏଲ୍‌ବି. ଡିଗ୍ରୀ ହାସଲ କରିଥିଲେ। ସ୍କୁଲରେ ପଢୁଥିବା ସମୟରୁ ସେ ସମାଜସେବା ଓ ସାଧାରଣ ଜୀବନରେ ପ୍ରବେଶ କରିଥିଲେ। ୧୯୫୬ରେ ସୀମା ଆନ୍ଦୋଳନ ସମୟରେ ସମ୍ବଲପୁରରେ ହୋଇଥିବା କାର୍ଯ୍ୟକ୍ରମରେ ଭାଗ ନେଇ କାରାବରଣ କରିଥିଲେ। ଏହି ସମୟରେ ଆଚାର୍ଯ୍ୟ ହରିହର ଦାଶଙ୍କ ନେତୃତ୍ୱରେ ଚାଲିଥିବା ଭୂଦାନ ପଦଯାତ୍ରାରେ ଅଂଶ ଗ୍ରହଣ କରି ସର୍ବୋଦୟ ଆନ୍ଦୋଳନରେ ଯୋଗଦାନ କରିଥିଲେ।

ଗାନ୍ଧୀ ସ୍ମାରକୀ ନିଧି, କଟକର ସକ୍ରିୟ ସଦସ୍ୟ ଭାବେ ୧୯୬୩ରେ ସନ୍ଥ ବିନୋଭା ଭାବେଙ୍କ ଓଡିଶା ପଦଯାତ୍ରାରେ ବଲାଙ୍ଗିର ଓ ମୟୂରଭଞ୍ଜରେ ସଂଗଠନର ଦାୟିତ୍ୱ ନେଇଥିଲେ। ୧୯୬୪ରେ ହୀରାକୁଦ ଆଇଡିସି. କମ୍ପାନୀରେ ଆକାଉଣ୍ଟାଣ୍ଟ ଭାବରେ ଚାକିରି ଜୀବନ ଆରମ୍ଭ କରିଥିଲେ। ଶ୍ରମିକମାନଙ୍କ ସମସ୍ୟା ନେଇ ଆନ୍ଦୋଳନର ନେତୃତ୍ୱ ନେଇଥିବାର ସାତ ବର୍ଷ ପରେ ତାଙ୍କୁ ଚାକିରି ହରାଇବାକୁ ପଡିଥିଲା। କିଛି ସମୟ ଲାଲା ଲଜପତ ରାଏ ଆଇନ କଲେଜରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରିବା ସମୟରୁ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ପ୍ରଦେଶ କଂଗ୍ରେସର ରିଲିଫ କମିଟି ଓ ଶ୍ରମିକ ସେଲର ସମ୍ପାଦକ ଦାୟିତ୍ୱ ନିର୍ବାହ କରିଥିଲେ।

ଭାଗବତ ପ୍ରସାଦ ନନ୍ଦ ୧୯୭୪ରୁ ୭୬ ପର୍ଯ୍ୟନ୍ତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ସ୍ୱତନ୍ତ୍ର ରାଜନୈତିକ ସହାୟକ ପଦବୀରେ ରହିଥିଲେ। ୧୯୭୭ରେ କଂଗ୍ରେସ ଫର ଡେମୋକ୍ରେସି ଓ ୧୯୮୦ରେ କଂଗ୍ରେସ (ଅର୍ସ)ରେ ଯୋଗଦେଇ ଏହାର ରାଜ୍ୟ ସାଧାରଣ ସମ୍ପାଦକ ହୋଇଥିଲେ। ୧୯୮୪ରେ ଜାଗ୍ରତ ଓଡିଶା ଦଳର ପ୍ରତିଷ୍ଠାତାମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ଜାଗ୍ରତ ଓଡିଶା ୧୯୮୮ରେ ଭାରତୀୟ ଜାତୀୟ କଂଗ୍ରେସ ସହ ମିଶ୍ରଣ ହୋଇଥିଲା। ଏହି ସମୟରେ ସେ ପିସିସି ସାଧାରଣ ସମ୍ପାଦକ ହୋଇଥିଲେ। ସାମ୍ବାଦିକ ଭାବରେ ଦୈନିକ ଧରିତ୍ରୀର ଜିଲ୍ଲା ପ୍ରତିନିଧି ଓ ପରେ ସ୍ପଷ୍ଟବାଦୀ ସାପ୍ତାହିକର ସମ୍ପାଦନ ମଣ୍ଡଳୀର ସଦସ୍ୟ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ପଶ୍ଚିମ ଓଡିଶା ଗ୍ରାମ୍ୟ ସାମ୍ବାଦିକ ସଂଘ, ଜିଲ୍ଲା ସାମ୍ବାଦିକ ସଂଘ, ହୀରାଖଣ୍ଡ ନାଗରୀକ ପରିଷଦ, ଓଡ଼ିଶା ସାଂସ୍କୃତିକ ସମାଜ, ଜିଲ୍ଲା ଫ୍ରେଣ୍ଡ୍‌ସ ଅଫ୍ ସୋଭିଏତ ୟୁନିୟନର, ଓଡିଶା ସର୍ବୋଦୟ ପରିଷଦ, ବୀର ସୁରେନ୍ଦ୍ର ସାଏ ସ୍ମୃତି ସମିତିର ସଭାପତି, ସମ୍ବଲପୁର ବିଶ୍ୱବିଦ୍ୟାଳୟର ସିନେଟ ଓ ରାଜ୍ୟ ଖାଉଟି ବିବାଦ ମିମାନ୍ସା ପରିଷଦର ସଦସ୍ୟ ଭାବରେ ଦାୟିତ୍ୱ ମଧ୍ୟ ନିର୍ବାହ କରିଥିଲେ ।

ଇସ୍‌କସ୍ ଓ ଇସ୍‌କଖର ଜିଲ୍ଲା ସଭାପତି ରହିଥିବା ବେଳେ ଚନ୍ଦ୍ରଶେଖର ବେହେରା ଷ୍ଟାଚ୍ୟୁ କମିଟି, କୃତାର୍ଥ ଆଚାର୍ଯ୍ୟ ଷ୍ଟାଚ୍ୟୁ କମିଟି, ଦୟାନନ୍ଦ ଶତପଥୀ ଜନ୍ମ ଶତବାର୍ଷିକି କମିଟି, ନୃସିଂହ ଗୁରୁ ସ୍ମୃତି ସମିତିର ବିଭିନ୍ନ ପଦପଦବୀରେ ରହିଥିଲେ। ଉତ୍ସର୍ଗ, ଜ୍ୟୋତି, ସମ୍ବଲପୁରୀ ଲେଖକ ସଂଘ, ଆକାଶବାଣୀ କଳାକାର ସଂଘ, ସୃଜଣି ପ୍ରଭୃତି ସଂସ୍ଥାର ପ୍ରତିଷ୍ଠାତା ସଦସ୍ୟ ରହିବା ସହିତ ବୀର ସୁରେନ୍ଦ୍ର ସାଏ ପିଇଟି କଲେଜ, କମିଶନର କଲୋନି ହାଇସ୍କୁଲ ପରିଚାଳନା ସମିତିର ସଦସ୍ୟ, ଆକାଶବାଣୀ କାର୍ଯ୍ୟକ୍ରମ ଉପଦେଷ୍ଟା କମିଟି। ଭିଏସ୍‌ଏସ୍ ମେଡିକାଲ କଲେଜର ପରିଚାଳନା କମିଟି, ମୁଖ୍ୟ ଡାକଘର ନାଗରିକ ଫୋରମ, ବୁଢାରଜା ଉନ୍ନୟନ କମିଟି, ପଶ୍ଚିମ ଓଡିଶା ସ୍ୱାଧୀନତା ସଂଗ୍ରାମୀ ସମିତିର କାର୍ଯ୍ୟନିର୍ବାହୀ ସଦସ୍ୟ ରହିଥିଲେ।
ସାମାଜିକ କର୍ମୀଭାବେ ଦେଶର ବିଭିନ୍ନ ସ୍ଥାନ ବୁଲିଥିବା ଭାଗବତ ପ୍ରସାଦ ନନ୍ଦ ବିଭିନ୍ନ ପତ୍ର ପତ୍ରିକା ଓ ସମ୍ବଲପୁର ଆକାଶବାଣୀ କେନ୍ଦ୍ରର ନିୟମିତ ସ୍ତମ୍ଭକାର ଥିଲେ। ପଶ୍ଚିମ ଓଡିଶାରେ ସ୍ୱାଧୀନତା ସଂଗ୍ରାମର ସଂକ୍ଷିପ୍ତ ଇତିହାସ ଆଦି କେତେକ ପୁସ୍ତକ ସେ ରଚନା କରିଛନ୍ତି। ଜାତୀୟ ବନ ବିକାଶ ଓ ପରିବେଶ ସୁରକ୍ଷା ସମିତି, ୱାର୍ଧାର ଜୟ ଜଗତ ମୈତ୍ରୀ ଯାତ୍ରା, ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ, ବଲାଙ୍ଗିର ରୁଦ୍ର ଆହ୍ୱାନ, ସମ୍ବଲପୁର ସମ୍ବଳଶ୍ରୀ ପତ୍ରିକା, ଓଡିଶା ସାହିତ୍ୟ ଏକାଡେମୀ, ସମ୍ବଲପୁରର ହୀରାଖଣ୍ଡ ନାଗରିକ ପରିଷଦ, ଦୋସ୍ତ, ବିର୍ସା ମୁଣ୍ଡା ଜୟନ୍ତୀ କମିଟି, ସେବା, ଉକିଆ, ମହକ, ପାଣିମୁରା ଓ ରାୟଗଡା ସର୍ବୋଦୟ ସେବକ ସଂଗଠନ ପ୍ରଭୁତି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି।

୨୦୧୪ରେ ସ୍ୱୟଂ ଶାସିତ ମାନ୍ୟତା ପାଇଥିବା ଭିମସାର୍‌ର ପ୍ରଥମ ପରିଚାଳନା ସମିତିର ସଦସ୍ୟ ରୂପେ ତାଙ୍କୁ ମନୋନୀତ କରାଯାଇଥିଲା। ସେ ପଶ୍ଚିମ ଓଡିଶାର ସ୍ୱାର୍ଥ, କୃଷକ, ଶ୍ରମିକମାନଙ୍କ ବିଭିନ୍ନ ଜନ ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ, ବୀର ସୁରେନ୍ଦ୍ର ସାଏ ଆୟୁରବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ସ୍ଥାପନ ପାଇଁ, ମଣିଭଦ୍ରା ଓ ସିନ୍ଧୋଲ ବନ୍ଧ ବିରୋଧରେ ହୋଇଥିବା କାର୍ଯ୍ୟକ୍ରମ ସହିତ ବହୁ ଜମ ସମସ୍ୟା ସମ୍ପର୍କିତ ଆନ୍ଦୋଳନରେ ସକ୍ରିୟ ଭାବେ ସାମିଲ ହେଉଥିଲେ।