ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ପୁଲିସକୁ ମାଡ଼ ମାରି  ଭ୍ୟାନ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ତିହିଡ଼ି, ଏନ୍ଏନ୍ଏସ୍: ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧୀନ ନୟାନନ୍ଦ ପଞ୍ଚାୟତ ହାଟୁଆରି ଗ୍ରାମର ବାପି ମହାଳିକ ନାମକ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁକୁ ନେଇ ଭଦ୍ରକ-ଚାନ୍ଦବାଲି ରାସ୍ତାର ଅଲୀନଗର ଛକ ନିକଟରେ ଘଟିଛି ଅଭାବନୀୟ କାଣ୍ଡ। ଯୁବକଙ୍କୁ ପୁଲିସ ମାରିଦେଇଥିବା ଅଭିଯୋଗ ଆଣି ସ୍ଥାନୀୟ  ବ୍ୟକ୍ତି ପୁଲିସକୁ ଗୋଡ଼େଇ ଗୋଡ଼େଇ ପିଟିବା ସହ ପୁଲିସ୍ ଭ୍ୟାନରେ ନିଆଁ ଲଗାଇ ଅଲୀନଗର ଛକ ନିକଟରେ  ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ସୁରକ୍ଷା ଦୃଷ୍ଟିରୁ ୫ପ୍ଲାଟୁନ୍ ଫୋର୍ସ ମୁତୟନ କରିଥିଲା।

ହାଟୁଆରି ଗ୍ରାମର ଭାଗିରଥି ମହାଳିକ କରିଥିବା ଅଭିଯୋଗରୁ ପ୍ରକାଶ ଯେ, ତାଙ୍କ ପୁଅ ବାପି ଭଉଣୀଘରକୁ ସଂକ୍ରାନ୍ତି ଭାର ନେଇ ଯାଇଥିଲା। ତେବେ ବାପି ଭଉଣୀ ଘରେ ଥିବା ସମୟରେ ପୁଲିସ ଆସି ତାଙ୍କ ଜ୍ୱାଇଁ ଅଶୋକଙ୍କୁ ଖୋଜିଥିଲେ। ତେବେ ଦିବ୍ୟାଙ୍ଗ ବାପି ପୁଲିସକୁ ଦେଖି ଭୟରେ ଦୌଡ଼ି ପଳାଇ ଯିବା ସମୟରେ ପୁଲିସମାନେ ତାକୁ ଅଶୋକ ଭାବି ଗୋଡ଼ାଇବାରୁ ସେ ପୋଖରୀରେ ପଡ଼ି ଯାଇଥିଲେ। ବହୁ ଖୋଜାଖୋଜି ପରେ ତିହିଡ଼ି ଦମକଳ ବାହିନୀ ଦ୍ୱାରା ବାପିର ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକମାନେ ବାପିଙ୍କ ମୃତଦେହକୁ ଅଲୀନଗର ଛକରେ ରଖି ଟାୟାର ଜାଳି ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏହି ସମୟରେ ପୀରହାଟ ଥାନା ପୁଲିସ ଭ୍ୟାନ ଜଣେ ବଳାତ୍କାର ଅଭିଯୁକୁ ନେଇ ଭଦ୍ରକ କୋର୍ଟକୁ ଯାଉଥିବା ବେଳେ ଉତ୍ତ୍ୟକ୍ତ ଲୋକମାନେ ପୁଲିସ ଭ୍ୟାନକୁ ଅଟକାଇଥିଲେ। ପୁଲିସ ଭ୍ୟାନଟି ଅଟକିବାରୁ ଲୋକାମାନେ ଭ୍ୟାନକୁ ଭଙ୍ଗାରୁଜା କରିବା ସହ ସେଥିରେ ଥିବା ପୁଲିସମାନଙ୍କୁ ପିଟାପିଟି କରିଥିଲେ। ଭୟରେ ପୁଲିସ ଦୌଡ଼ି ପଳାଇ ଯାଉଥିବା ବେଳେ ଲୋକମାନେ ତାଙ୍କୁ ଗୋଡ଼ାଇ ପଟିଥିଲେ। ଏଥି ସହ ଭ୍ୟାନଟିରେ ନିଆଁ ଲାଗାଇ ଦେଇଥିଲେ। ତେବେ ଭ୍ୟାନଟି ପୋଡ଼ି ଯାଇଥିବା ବେଳେ ଏଥିରେ କୋର୍ଟକୁ ଯାଉଥିବା ବଳାତ୍କାର ଅଭିଯୁକ୍ତ ଜଣକ ଚମ୍ପଟ ମାରିଥିଲା।