କୋଚିଙ୍ଗ ସେଣ୍ଟର ଖୋଲିବାକୁ ଦାବି

ଭଦ୍ରକ,ଏନ୍ଏନ୍ଏସ୍ : କରୋନା ମୁକାବିଲା ଲାଗି ଦୀର୍ଘଦିନ ହେବ ବିଦ୍ୟାଳୟକୁ ବନ୍ଦ ରଖିଛନ୍ତି ସରକାର। ଏଥିସହିତ କୋଚିଙ୍ଗ ସେଣ୍ଟରଗୁଡିକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ଶିକ୍ଷାବର୍ଷର ଶେଷଭାଗରୁ ଅଦ୍ୟାବଧି ଛାତ୍ରଛାତ୍ରୀଙ୍କ ପାଠପଢା ବ୍ୟାହତ ହୋଇଚାଲିଛି। ପାଠ ପଢିବା ଲାଗି ସରକାର ଅନଲାଇନ ବ୍ୟବସ୍ଥା କରିଥିଲେ ବି ପ୍ରକୃତପକ୍ଷେ ତାହା ସମସ୍ତଙ୍କୁ ସୁହାଉନାହିଁ। କହିବାକୁ ଗଲେ ପିଲାଙ୍କ ପାଠପଢାକୁ ନେଇ ଅଭିଭାବକ ଚିନ୍ତିତ ଥିବା ବେଳେ ନିର୍ଦ୍ଧାରିତ ସମୟରେ କୋର୍ସ ସାରିବା ମଧ୍ୟ କଷ୍ଟସାଧ୍ୟ ହେବ। ଏପଟେ ବିଦ୍ୟାଳୟକୁ ଖୋଲିବା ନଖୋଲିବା ନେଇ ସରକାରଙ୍କ ପାଖେ କିଛିଟା ବାଧ୍ୟବାଧକତା ରହିଛି।

ବିଦ୍ୟାଳୟ ଗୁଡିକୁ ସରକାର କ୍ୱାରେଣ୍ଟାଇନ ସେଣ୍ଟର କରିଥିବାରୁ ଜୁନ ୧୭ରେ ବିଦ୍ୟାଳୟ ନିହାତି ଖୋଲିବ ସେଥିନେଇ ଏବେଠୁ ନିଶ୍ଚିତ କହିହେବ ନାହିଁ। ଏପରିସ୍ଥଳେ କୋଚିଙ୍ଗ ସେଣ୍ଟରଗୁଡିକର ଭୂମିକା ବଢିଯାଇଛି। ସରକାର ଚାହିଁଲେ କୋଚିଙ୍ଗ ସେଣ୍ଟର ଖୋଲିବାକୁ ଅନୁମତି ଦେଇପାରନ୍ତେ ବୋଲି ଅଭିଭାବକ ମହଲରେ ମତ ପ୍ରକାଶପାଇଛି। ପାନ,ଗୁଟକା ଦୋକାନ ଖୋଲିବା ଲାଗି ସର୍ତମୂଳକ ଅନୁମତି ଦିଆଯାଉଥିବା, ଅନ୍ୟ ଦୋକାନ ବଜାର ଖୋଲିବା ଲାଗି ଅନୁମତି ମିଳୁଥିବା ବେଳେ ଅନୁରୂପ ସର୍ତରେ କୋଚିଙ୍ଗ ସେଣ୍ଟର ବି ଖୋଲାଯାଇ ପାରନ୍ତା ବୋଲି ମତ ପ୍ରକାଶ ପାଇଛି।

ଶିକ୍ଷକମାନେ ଯେହେତୁ ପିଲାଙ୍କୁ ପାଠ ପଢାଇବେ ସେକ୍ଷେତ୍ରରେ ସାମାଜିକ ଦୂରତା ଅବଲମ୍ବନ ପୂର୍ବକ କୋଚିଙ୍ଗ ସେଣ୍ଟର ଖୋଲିବାକୁ ଅନୁମତିି ଦିଆଗଲେ ଅସୁବିଧା କ’ଣ ବୋଲି ମତ ରଖନ୍ତି ଆଇନଜୀବୀ ଚିନ୍ମୟ ସ୍ୱାଇଁ। ଅପରପକ୍ଷେ ବିଦ୍ୟାଳୟଗୁଡିକ ବନ୍ଦ ଥିବାରୁ ନିର୍ଦ୍ଦିଷ୍ଟ ସଂଖ୍ୟକ ପିଲାଙ୍କୁ ନେଇ ଦିନରେ ଏକାଧିକ ପର୍ଯ୍ୟାୟରେ କୋଚିଙ୍ଗ ସେଣ୍ଟରରେ ପାଠପଢା ଚାଲିବାରେ ଅସୁବିଧା ନାହିଁ। ଏହାଦ୍ୱାରା ସାମାଜିକ ଦୂରତା ରକ୍ଷା ବି ସମ୍ଭବ। ସରକାର ଏହାକୁ ହୃଦୟଙ୍ଗମ କରିବା ଦରକାର ବୋଲି କୁହନ୍ତି ଅନ୍ୟତମ ଅଭିଭାବକ ନିର୍ମଳ କୁମାର ସାହୁ।

ଅପରପକ୍ଷେ ଭଦ୍ରକ ସହରର କେତେକ କୋଚିଙ୍ଗ ସେଣ୍ଟରର ପରିଚାଳକମାନେ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ଦେଇ କୋଚିଙ୍ଗ ସେଣ୍ଟରଗୁଡିକୁ ଖୋଲିବା ଲାଗି ସର୍ତମୂଳକ ଅନୁମତି ଲୋଡିଛନ୍ତି। ସରକାର ପିଲାଙ୍କ ଭବିଷ୍ୟତ ସହିତ କୋଚିଙ୍ଗ ସେଣ୍ଟର ଉପରେ ନିର୍ଭର କରୁଥିବା ଶିକ୍ଷକ ତଥା ବେକାରଙ୍କ ଆର୍ଥିକ ସ୍ଥିତିକୁ ହୃଦୟଙ୍ଗମ କରିବା ଦରକାର ବୋଲି ମତ ପ୍ରକାଶ ପାଇଛି।