କୋଲକାତା,ଏଜେନ୍ସି: ଭବାନୀପୁରରେ ଚାଲିଛି ଦିଦିଙ୍କ ଭାଗ୍ୟ ପରୀକ୍ଷା। ପଶ୍ଚିମବଙ୍ଗ ଭବାନୀପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟିଂ। ଏଥିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଗ୍ୟ ପରୀକ୍ଷା ହେବ। ନନ୍ଦିଗ୍ରାମରେ ବିଜେପି ପ୍ରାର୍ଥୀଙ୍କ ଠାରୁ ଦିଦି ହାରିଯାଇଥିଲେ। ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟେବରଓ୍ବାଲଙ୍କ ସହ ଏଠାରେ ଦିଦିଙ୍କ କଡା ମୁକାବିଲା ଚାଲିଛି। ୨୮୭ ବୁଥ୍ ରେ ମତଦାନ ଆରମ୍ଭ ହୋଇଛି। ସବୁଠି କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ହୋଇଛନ୍ତି। ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ମତଦାନ ଚାଲିବ।
ବିଜେପି ପ୍ରାର୍ଥୀ ହେଉଛନ୍ତି ପ୍ରିୟଙ୍କା ଟେବରୱାଲ। ଏହା ପୂର୍ବରୁ ସେ ବାବୁଲ ସୁପ୍ରିଓଙ୍କ ଆଇନ ପରାମର୍ଶଦାତ୍ରୀ ଥିଲେ। ବାବୁଲ ହିଁ ତାଙ୍କୁ ବିଜେପିରେ ପ୍ରତ୍ୟକ୍ଷ ରାଜନୀତିକୁ ଆଣିଥିଲେ। ତାଙ୍କ ସୁପାରିଶରେ ୨୦୧୫ କୋଲକାତା ପାଳିକା ନିର୍ବାଚନରେ ପ୍ରାର୍ଥୀ ମଧ୍ୟ ହୋଇଥିଲେ। ତେବେ ୱାର୍ଡନମ୍ବର ୫୮ରେ ସେ ତୃଣମୂଳ ପ୍ରାର୍ଥୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ହାରି ଯାଇଥିଲେ। ସେ ବିଜେପି ଟିକେଟରେ ଏଣ୍ଟଲୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱୀତା କରି ନିକଟତମ ତୃଣମୂଳ ପ୍ରାର୍ଥୀଙ୍କ ଠାରୁ ୫୮ ହଜାରରୁ ବି ଅଧିକ ଭୋଟରେ ପରାସ୍ତ ହୋଇଥିଲେ। ସେ ଏବେ ବିଜେପିର ଜାତୀୟ ମୁଖପାତ୍ର ଥିବା ବେଳେ ପାର୍ଟି ପୁଣି ଥରେ ତାଙ୍କୁ ମମତାଙ୍କ ବିରୋଧରେ ଭବାନୀପୁରରୁ ପ୍ରାର୍ଥୀ କରିଛି।
ନନ୍ଦିଗ୍ରାମରୁ ହାରିଥିଲେ ବି ଭବାନୀପୁର ମମତାଙ୍କ ଗଡ ଅଟେ। ଏଠାରେ ତାଙ୍କର ପକେଟ୍ ଭୋଟ ରହିଛି। ଯାହା ତାଙ୍କର ବିଜୟୀ ସମ୍ଭାବନାକୁ ବଢାଇଦେଇଛି। ସୂଚନାଯୋଗ୍ୟ, ମମତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ଭାବନୀପୁରରେ ନିର୍ବାଚନ ଜିତିବାକୁ ପଡିବ।