ଭବାନୀପାଟଣା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ସାଧାରଣରେ ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ୨ ଦିନ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବାନୀପାଟଣା ସହରକୁ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି। ସହରର ପ୍ରମୁଖ ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିବା ବେଳେ ସମସ୍ତ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି। ସେହିପରି ଆଜି ଓ କାଲି ସମସ୍ତ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଜିଲ୍ଲାରେ ଗତକାଲି ସର୍ବାଧିକ ୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଫଳରେ ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪୫ରେ ପହଞ୍ଚିଛି। ସେହିପରି ଚିହ୍ନଟ ଆକ୍ରାନ୍ତ ମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଏଥିସହ ଜିଲ୍ଲାର ଘରେ ଘରେ ସ୍ୱାସ୍ଥ୍ୟ ପରୀକ୍ଷାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଏନେଇ ଆଶାକର୍ମୀ, ଅଙ୍ଗନବାଡି ଦିଦି ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ନିୟୋଜିତ କରାଯାଇଛି। ତେବେ ଏହି ସଟଡାଉନ ସମୟରେ ସମସ୍ତେ ଘରେ ରହି ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।