ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ବିଭିନ୍ନ ନଦୀରୁ ପାଣି ଉଠାଇ ଚାଷୀଙ୍କ ଜମିକୁ ଜଳ ଯୋଗାଇବା ପାଇଁ ଅନେକ ମେଗା ଲିପ୍ଟ ଇରିଗେସନ ପଏଣ୍ଟ ତିଆରି କରାଯାଇଛି। ହେଲେ ବିଭାଗୀୟ ଅବହେଳା ତଥା ରକ୍ଷଣାବେକ୍ଷଣର ଅଭାବ ଯୋଗୁ ଚାଷୀଙ୍କ ଜମିକୁ ପାଣି ପହଞ୍ଚି ପାରୁନାହିଁ। ଫଳରେ ଚାଷୀମାନେ ମରୁଡ଼ିର କଷ୍ଟ ସହିବାକୁ ବାଧ୍ୟ ହେଉଛନ୍ତି। ଏପରି ଦୃଶ୍ୟ ଏବେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଭଅଁରଖୋଲ ପଞ୍ଚାୟତର ସାଗରପାଲି ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ଅଧିକାଂଶ ଜମିରେ କୁଡ଼ାବଗା ମେଗା ଲିପ୍ଟ ଇରିଗେସନରୁ ଜଳସେଚନ କରିବାର ସୁବିଧା ରହିଛି। ଜମିରେ ପାଇପ ପୋତାଯାଇ ପାଣି ଚପାଇବା ପାଇଁ ପଏଣ୍ଟ ମାନ ମଧ୍ୟ ଦିଆଯାଇଛି। ହେଲେ ଗତ ମାର୍ଚ୍ଚ ମାସରୁ କେନ୍ଦୁଡ଼ିହି ଗ୍ରାମ ନିକଟରେ ଉକ୍ତ ପାଇପଲାଇନ ଫାଟି ଯାଇଥିଲେ ମଧ୍ୟ ତା’ର ମରାମତି କରାଯାଇ ନାହିଁ। ଫଳରେ କୁଡ଼ାବଗାରୁ ପଇପ ଯୋଗେ ଆସୁଥିବା ପାଣି ରାସ୍ତାରେ ହିଁ ଏଣେତେଣେ ବହି ନଷ୍ଟ ହେଉଛି। ଏନେଇ ଆଖପାଖ ଗ୍ରାମର ଚାଷୀମାନେ ବାରମ୍ବାର କୁଡ଼ାବଗା ମେଗା ଲିପ୍ଟ ଇରିଗେସନ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ପାଇନାହାନ୍ତି। ଅନ୍ୟପଟେ ପାଇପଲାଇନର ମରାମତି ହୋଇ ନଥିବାରୁ ଚଳିତ ବର୍ଷ ସାଗରପାଲି ଅଞ୍ଚଳର ଚାଷୀମାନେ ଜଳାଭାବର ସମ୍ମୁଖୀନ ହେଉଛନ୍ତି। ତେଣୁ ଶୀଘ୍ର ପାଇପଲାଇନର ମରାମତି କରି ଚାଷ ଜମିକୁ ପାଣି ଯୋଗାଇ ଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି। ସେହିପରି ସାଗରପାଲି ଗ୍ରାମର ଚାଷୀ କମଳ ଲୋଚନ ପ୍ରଧାନ କହିଛନ୍ତି ସରକରାଙ୍କ ଯୋଜନାକୁ ସରକରୀ ଅଧୀକାରୀମାନେ ଚାଷୀଙ୍କ ପାଖକୁ ସଠିକ ଭାବରେ ପହଞ୍ଚାଉ ନଥିବାରୁ ଆଜି ଝାରସୁଗୁଡ଼ାରେ ଚାଷୀ ସମାଜ ଉପେକ୍ଷିତ ହୋଇ ରହିଛନ୍ତି। ବିଭାଗୀୟ ଅଧିକାରୀମାନେ ସାମାନ୍ୟ ଦାୟିତ୍ୱ ନିର୍ବାହ କରି ଚାଷ ଆରମ୍ଭ ହେବା ପୂର୍ବରୁ ମେଗା ଲିପ୍ଟ ପଏଣ୍ଟର ପାଣି ପ୍ରତ୍ୟେକ ଜମିକୁ ପହଞ୍ଚି ପାରୁଛି ନା ନାହିଁ ତଦାରଖ କରି ପାଣି ଯୋଗାଇବାର ବ୍ୟବସ୍ଥା କଲେ ଅଞ୍ଚଳରେ କେବେ ମରୁଡ଼ି ପରିସ୍ଥିତ ଦେଖାଦେବ ନାହିଁ ବୋଲି କହିଛନ୍ତି।