ପିଲାଙ୍କ ସହ ଚିକେନ୍ ଖାଇ ବିଇଓ ନିଲମ୍ବିତ

ସୁନ୍ଦରଗଡ଼,ଏନ୍ଏନ୍ଏସ୍: ସୁନ୍ଦରଗଡ ବଣେଇ ବ୍ଲକ୍ ତିଲେଇମାଲ ପ୍ରୋଜେକ୍ଟ ସ୍କୁଲକୁ ମଧ୍ୟାହ୍ନ ଭୋଜନ ମାନର ଯାଂଚ କରିବାକୁ ଆସିଥିବା ଅଧିକାରୀ ଚିକେନ ଖାଇବା ଘଟଣାରେ ବିଇଓଙ୍କୁ ନିଲମ୍ବିତ କରାଯାଇଛି । ଶୁକ୍ରବାର ସ୍କୁଲକୁ ବିଇଓ ବିନୟ ପ୍ରକାଶ ସଏ ପରିଦର୍ଶନରେ ଆସିଥିଲେ । ଏହି ସମୟରେ ମଧ୍ୟାହ୍ନ ଭୋଜନ ସମୟ ହୋଇଯାଇଥିଲା । ତେବେ ପିଲାଙ୍କ ସହିତ ମଧ୍ୟାହ୍ନ ଭୋଜନ ଖାଇବାକୁ ବିଇଓ କହିଥିଲେ । କିନ୍ତୁ ପିଲାମାନେ ଭାତ ଓ ଡାଲି ଖାଉଥିବାବେଳେ ବିଇଓଙ୍କୁ ମଧ୍ୟାହ୍ନ ଭୋଜନ ସହ ଚିକେନ ପରସା ଯାଇଥିଲା ଏବଂ ସେ ମଧ୍ୟ ଖାଇଥିଲେ ।

ତାଙ୍କ ଖାଇବା ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଘଟଣାକୁ ଜିଲ୍ଲାପାଳ ଗୁରୁତର ସହ ନେଇ ବିଇଓଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। କିନ୍ତୁ ଘଟଣା ହେଉଛି ବିଇଓଙ୍କୁ ଚିକେନ୍ ଦେଲା କିଏ ଏବଂ ତାଙ୍କ ଉପରେ କଣ କାର୍ଯ୍ୟନୁଷ୍ଠାନ ନିଆଯାଇଛି।