ହିତାଧିକାରୀଙ୍କୁ ମିଳୁଛି ମୂଷା ମଳ ମିଶା ଚାଉଳ 

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ସରକାର ଦାରିଦ୍ର୍ୟ ଦୂରୀକରଣ ପାଇଁ ଗରିବ ଲୋକଙ୍କୁ ଘରଠୁ ଆରମ୍ଭ କରି କମ ମୂଲ୍ୟରେ ଚାଉଳ ଯୋଗାଉଛନ୍ତି। ହେଲେ ଏହି ଚାଉଳକୁ ଅପମିଶ୍ରିତ କରି ଡିଲରମାନେ ଗରିବ ଲୋକଙ୍କୁ ନିମ୍ନମାନର ଚାଉଳ ଯୋଗାଉଥିବା ଅଭିଯୋଗ ହୋଇଛି। ଫଳରେ ସରକାରୀ ସାହାଯ୍ୟ ପାଇ ଉପକୃତ ହେବା ପରିବର୍ତ୍ତେର୍ ଗରିବ ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ବଢୁଛି। ଏପରି ଏକ ଅଭିଯୋଗ ବ୍ରଜରାଜନଗର ପୌରପରିଷଦ ଅନ୍ତର୍ଗତ ନୁଆଁଡ଼ିହିର ଡିଲର ସୁନୀଲ ସିଂଙ୍କ ପାଖରୁ ଚାଉଲ ନେଉଥିବା ହିତାଧିକାରୀମାନେ  କରିଛନ୍ତି। ଗରିବଙ୍କୁ ସ୍ୱଳ୍ପ ମୂଲ୍ୟରେ ଚାଉଳ ନାଁରେ ମୂଷା ମଳ ମିଶା ପୋକରା ଚାଉଳ ଦିଆଯାଉଛି। ସେ ଚାଉଳ ଖାଇବା ଉପଯୋଗୀ ନୁହେଁ ବୋଲି ସେମାନେ କହିଛନ୍ତି। କେବଳ ଏତିକି ନୁହେଁ, ପ୍ରତିବାଦ କଲେ ଯେଉଁଠି ଅଭିଯୋଗ କରିବ କର ଚାଉଳରେ ଗୋଡ଼ି, ପୋକ ମୂଷା ମଳ ରହିବା ଏକ ସାମନ୍ୟ କଥା। ଏହି ଚାଉଳ ନବ ଯଦି ନିଅ ନହେଲେ ଘରକୁ ଯାଅ ବୋଲି ଡିଲର କହୁଥିବା ହିତାଧୀକାରୀମାନେ ଅଭିଯୋଗ କରିଛନ୍ତି। ତେଣୁ ଜିଲ୍ଲା ପ୍ରାଶାସନ ଏନେଇ ବିହିତ ତଦନ୍ତ କରି ଲୋକଙ୍କୁ ଭଲ ଚାଉଳ ଯୋଗାଉ ବୋଲି ନୂଆଁଡ଼ିହି ଗ୍ରାମର ନିରଞ୍ଜନ ପାଣ୍ଡେ, ଉପମା ପାଣ୍ଡେ, ନିଶିଳା ଦେବୀଙ୍କ ସହ ଅନ୍ୟ ହିତାଧିକାରୀମାନେ ଦାବି କରିଛନ୍ତି।

ଏସମ୍ପର୍କରେ ଡିଲରଙ୍କୁ ପଚାରିବାରୁ ଅଭିଯୋଗକୁ ଖଣ୍ଡନ କରିବା ସହ ନାଲି ଆଖି ଦେଖାଉଛନ୍ତି। ଅନ୍ୟପଟେ  ଝାରସୁଗୁଡ଼ା  ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ଏନେଇ ପଚାରିବାରୁ  ଆମେ ଯୋଗାଉଥିବା ଚାଉଳ ଉନ୍ନତମାନର ଯଦି ଗୋଦାମରୁ ଭୁଲବଶତଃ ଏପରି ଖରାପ ଚାଉଳ ପହଞ୍ଚିଛି ତେବେ ତା’ ବଦଳରେ ଅନ୍ୟ ଚାଉଳ ଯୋଗାଇ ଦିଆଯିବ। ଆଉ ଡିଲରମାନେ ଯଦି ଲାଭବାନ ହେବା ପାଇଁ ନିୟମିତ ଲୋକଙ୍କୁ ଅପମିଶ୍ରିତ ଚାଉଳ ପ୍ରଦାନ କରୁଛନ୍ତି ତେବେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ କହିଛନ୍ତି।