ବଲାଙ୍ଗିର,ଏନ୍ଏନ୍ଏସ୍: ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସରକାର ଟ୍ରେନ ଯୋଗେ ଆଣିବାର ବ୍ୟବସ୍ଥା କରିଛନ୍ତି। ହେଲେ ଆଉ କେତେକ ଶ୍ରମିକ ନିଜସ୍ୱ ଉଦ୍ୟମରେ ବସ ଯୋଗେ ମଧ୍ୟ ଫେରୁଛନ୍ତି। ବିଶେଷ କରି ନିଜସ୍ୱ ଉଦ୍ୟମରେ ଫେରୁଥିବା ଶ୍ରମିକମାନେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ପ୍ରବାସୀ ଶ୍ରମିକମାନଙ୍କୁ ୨୪ ଘଣ୍ଟା ସହାୟତା ଯୋଗାଇ ଦେବା ଲାଗି ସ୍ୱେଚ୍ଛାସେବୀ ସଂଗଠନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଏହି ନମ୍ବର ଜରିଆରେ ଶ୍ରମିକମାନେ ବିଭିନ୍ନ ପ୍ରକାର ସୂଚନା ପାଇବା ସହିତ ସହାୟତା ମଧ୍ୟ ପାଇପାରିବେ। ବଲାଙ୍ଗିର ସହରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ବଲାଙ୍ଗୀର-ବରଗଡ଼-ସମ୍ବଲପୁର ରୋଡ଼, ବଲାଙ୍ଗିର-ସୋପନୁର ରୋଡ, ବଲାଙ୍ଗିର-କଳାହାଣ୍ଡି ରୋଡ ଓ ବଲାଙ୍ଗିର- ନୂଆଁପଡ଼ା ରୋ ଠାରେ ହେଲ୍ପଲାଇନ ନମ୍ବର ଲଗାଯାଇଛି । ବାହାରୁ ଆସୁଥିବା ଶ୍ରମିକମାନେ କିଭଳି କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ନହେବେ ସେଥିପାଇଁ ଏଭଳି ବ୍ୟବସ୍ଥା କରାଯାଇଛି ବୋଲି ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଲଳିତ କୁମାର ନାୟକ, ସଭାପତି ସୋମନାଥ ମିଶ୍ର ଓ ସମ୍ପାଦକ ବିବେକ ପଟେଲ ଜଣାଇଛନ୍ତି ।