ବେଦାନ୍ତ ପକ୍ଷୁରୁ କରୋନା ମୁକାବିଲା, ସାନିଟାଇଜ ହେଲା ୨୨ଟି ଗ୍ରାମ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡାସ୍ଥିତ ବେଦାନ୍ତ କମ୍ପାନୀର ପାରିପାର୍ଶ୍ୱିକ ଗ୍ରାମାଞ୍ଚଳରେ କୋଭିଡ଼-୧୯ ବିରୋଧରେ ଚାଲିଥିବା ଯୁଦ୍ଧକୁ ଅଗ୍ନିଶମ ବିଭାଗ ଆହୁରି ସୁଦୃଢ଼ କରିଛି। କମ୍ପାନୀର ସିଏସ୍ଆର୍ ଓ ଜିଲ୍ଲା ପ୍ରଶାସନ ତତ୍ତ୍ୱ୍ୱାବଧାନରେ ଏହି ଅଗ୍ନିଶମ ବିଭାଗ ଝାରସୁଗୁଡାର ୨୨ଟି ପ୍ରମୁଖ ସ୍ଥାନକୁ ସାନିଟାଇଜ କରୁଛି। ଏହି ପରିପ୍ରେକ୍ଷୀରେ ଭୁରକାମୁଣ୍ଡା, ବୃନ୍ଦାମାଲ, ଭାଗିପାଲି, ବଞ୍ଜାରି, କୁରେବଗା, ଖେରୁଆଲ, ସିରିଆପାଲି, ଶ୍ରୀପୁରା, ଗୁଡି ଗାଁ, କୁମୁଡାପାଲି, ଦଲକୀ, କାତିକେଲା, ଚିଠୁଆ ପଡ଼ା, ସିବାରମପୁର, ସୁନ୍ଦରୀମୁଣ୍ଡା, ଦେବାଡ଼ିହି, ସର୍ବାହାଲ, ବିଟିଏମ୍, ମାଲିମୁଣ୍ଡା, ପଞ୍ଚପଡ଼ା, ବାଲିଝୁରୀ ଏବଂ ନୂଆ ଝାରସୁଗୁଡ଼ା ଅଞ୍ଚଳକୁ ଅଗ୍ନିଶମ ଗାଡ଼ି ମାଧ୍ୟମରେ ସାନିଟାଇଜ କରାଯାଇଛି।

ଜିଲ୍ଲା ପ୍ରଶାସନ ଦ୍ୱାରା ଆରମ୍ଭ ହୋଇଥିବା ନିବାରଣ ପ୍ରକ୍ରିୟା ଅନୁସାରେ ଅଗ୍ନିଶମ ବିଭାଗ ଦ୍ୱାରା ଗ୍ରାମାଞ୍ଚଳରେ ବାସଗୃହ ଗୁଡିକର ବାହ୍ୟ କାନ୍ଥ, ସର୍ବଜନିକ ବ୍ୟବହୃତ ସ୍ଥାନ ଏବଂ ସାଧାରଣ କ୍ଷେତ୍ରଗୁଡିକ ଉପରେ ହୈପୋକ୍ଲୋରାଇଟ ମିଶ୍ରଣ ଛିଞ୍ଚନ କରାଯାଉଛି। କରୋନା ସଂକ୍ରମଣ ରୋକିବା ପାଇଁ ତୃଣମୂଳ ସ୍ତରରେ ସୁରକ୍ଷା ଯୋଗାଇଦେବା ପାଇଁ ଆମେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛୁ ଏବଂ ଅନବରତ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ସହିତ ଘନିଷ୍ଠ ସମନ୍ୱୟରେ କାର୍ଯ୍ୟରତ ବୋଲି ବେଦାନ୍ତ ସିଇଓ ସିଏନ ସିଂ ମତପ୍ରକାଶ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମର ସର୍ବବୃହତ୍ ପରିଯୋଜନା ଝାରସୁଗୁଡ଼ା କୋଭିଡ଼ ହସ୍ପିଟାଲ ଯାହା ବେଦାନ୍ତ, ଜିଲ୍ଲା ଖଣିଜ ପାଣ୍ଠି ଏବଂ ହାଇଟେକ ମେଡିକାଲ କଲେଜର ମିଳିତ ସହଯୋଗରେ ପ୍ରସ୍ତୁତ ହେଉଛି, ବହୁ ଶୀଘ୍ର ଏହା କାର୍ଯ୍ୟକାରୀ ହେବ। ସେହିପରି ୧୨ହଜାରରୁ ଊର୍ଦ୍ଧ୍ୱ ମାସ୍କ ଏବଂ ଅସହାୟଙ୍କୁ ଖାଦ୍ୟ ସାମଗ୍ରୀର ପ୍ୟାକେଟ ମାଗଣା ବଣ୍ଟନ କରାଯାଇଛି।