ଶିକ୍ଷକ ପଦବୀରେ ନିଯୁକ୍ତି ଦାବିରେ ବିଏଡ୍- ଏମ୍ଏଚ୍ ଛାତ୍ରଛାତ୍ରୀଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ବଲାଙ୍ଗିରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା କରିବେ 

ବଲାଙ୍ଗିର,ଏନ୍ଏନ୍ଏସ୍: ରାଜେନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟରେ ତ୍ରିବର୍ଷୀୟ ସମନ୍ୱିତ ବିଏଡ୍– ଏମ୍ଏଚ୍ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଓଟିଇଟି ଓ ଓଏସଟିଇଟି ପରୀକ୍ଷାରୁ ବଞ୍ଚିତ କରିବା ତଥା ଟିଜିଟି ଓ ପିଜିଟି ଚାକିରିରେ ନିଯୁକ୍ତି ସୁଯୋଗ ପ୍ରଦାନ  କରାଯାଉନଥିବାରୁ ଛାତ୍ରଛାତ୍ରୀମାନେ ଆଜି ଏହାର ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଏହାର ପାଠ୍ୟ ଖସଡ଼ା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଏଡ୍ ଓ ଏମ୍ଏଡ୍ ପାଠ୍ୟ ଖସଡ଼ା ସହ ସମାନ, ଯାହା ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଟିଜିଟି ଓ ଏସସିଇଆରଟି ଦ୍ୱାରା ପରିକଳ୍ପିତ। ତେବେ ଏହି ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ କେବଳ ଏମ୍ଏଡ୍  ଯୋଗ୍ୟତା ବିଶିଷ୍ଟ ସରକାରୀ ଚାକିରିରେ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନୁମତି ମିଳୁଛି । କିନ୍ତୁ ବିଏଡ୍‌ ଯୋଗ୍ୟତା ବିଶିଷ୍ଟ ସରକାରୀ ନିଯୁକ୍ତି ସମ୍ବନ୍ଧୀୟ ଯୋଗ୍ୟତା ପରୀକ୍ଷା ଓଟିଇଟିଓଏସ୍ଏସଟିଇଟିସିଟିଇଟି, ଟିଜିଟି ଓ ପିଜିଟି ପଦବୀରେନିଯୁକ୍ତରୁ ବଞ୍ଚିତ କରାଯାଉଛି।

ଏହି ପାଠ୍ୟକ୍ରମ ବର୍ତ୍ତମାନ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ଫକିରମୋହନ ବିଶ୍ୱବିଦ୍ୟାଳୟ ଓ ରାଜେନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟରେ ରହିଛି । ଅଦ୍ୟାବଧି ଏହି ପାଠ୍ୟକ୍ରମ ଜରିଆରେ ଓଡ଼ିଶାରୁ ୧୦୦ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। କିନ୍ତୁ ସେମାନଙ୍କୁ ସମସ୍ତ ଶିକ୍ଷକ ଚୟନ ପରୀକ୍ଷାରୁ ବଞ୍ଚିତ କରାଯାଇଛି। ଏ ସମ୍ପର୍କରେ ପୂର୍ବରୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ଗଣଶିକ୍ଷା ବିଭାଗ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ସମ୍ପ୍ରତି ସମଗ୍ର ରାଜ୍ୟରେ ଏହି ପାଠ୍ୟକ୍ରମରେ ୬୦୦ଜଣ ଛାତ୍ରଛାତ୍ରୀ ସ୍ନାତକୋତ୍ତର ଶ୍ରେଣୀରେ ଅଧ୍ୟୟନ କରୁଥିବାବେଳେ ବଲାଙ୍ଗିର ସ୍ୱୟଂଶାସିତ ରାଜେନ୍ଦ୍ର ମହାବିଦ୍ୟାଳୟରେ ୧୫୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।

ରାଜ୍ୟ ଗଣଶିକ୍ଷା  ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ନିକଟରେ ଏ ନେଇ ଲିଖିତ ଅଭିଯୋଗ କରାଯାଇଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ମଧ୍ୟ ଦାବି ସମ୍ପର୍କରେ ଅବଗତ କରାଯାଇଛି। ଏଥି ସହିତ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରୀଆଲଙ୍କୁ ସାକ୍ଷାତ କରି ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଛି। ଏ ନେଇ ଛାତ୍ରଛାତ୍ରୀମାନେ ବଲାଙ୍ଗିର ରାଜେନ୍ଦ୍ର ମହାବିଦ୍ୟାଳୟରୁ ଚାଲି ଚାଲି ଭୁବନେଶ୍ୱରସ୍ଥିତ ଲୋକସେବା ଭବନ  ଅଭିମୁଖେ ଯିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ପାଠ୍ୟକ୍ରମରେ ୮୦ ପ୍ରତିଶତ ଛାତ୍ରୀ ଥିବାରୁ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ସରକାର ଦାୟୀ ରହିବେ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି।