ତେଲକୋଇ,ଏନ୍ଏନ୍ଏସ୍: ତେଲକୋଇ ରେଞ୍ଜ କାଳିଆହତା ଫରେଷ୍ଟ ବିଟ୍ ଅଞ୍ଚଳରେ ଥମୁନି ଭାଲୁ ଆତଙ୍କ। ରକ୍ତମୁଖା ହୋଇପଡିଛି ସଂପୃକ୍ତ ଭାଲୁ। ଗତ ଦୁଇ ଦିନ ଧରି ଭାଲୁ ଆକ୍ରମଣରେ ତିନି ଜଣ ଗୁରୁତର ହେଲେଣି। ମଙ୍ଗଳବାର ଗୁଡିକଂସର ଗାଁରେ ଦୁଇ ଜଣଙ୍କୁ ଭାଲୁ ଆକ୍ରମଣ କରିଥିବା ବେଳେ ବୁଧବାର କାଳିଆହତା ପଞ୍ଚାୟତର ସାରୁପାଟ ଗାଁରେ ଜଣଙ୍କୁ ରକ୍ତମୁଖା ଭାଲୁ ଆକ୍ରମଣ କରିଛି।
ବୁଧବାର ସକାଳୁ ସାରୁପାଟ ଗାଁର ସୁରେଶ ମହାରଣା ବାଙ୍କଶାଳ ହୁଳି ନିକଟ ନିଜ ଧାନ ଜମିକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ କରିଥିଲା। ତାଙ୍କର ଦୁଇ ଗୋଡକୁ ଗଭୀର ଭାବେ କ୍ଷତାକ୍ତ କରି ଗୋଡରୁ ମାସଂ ଛିଣ୍ଡାଇ ନେଇଛି। ଯନ୍ତ୍ରଣା ରେ ଛଟପଟ ହୋଇ ସୁରେଶ ପାଟି କରିଥିଲେ। ପାଟିଶୁଣି ଜମିକୁ ଆସିଥିବା ଅନ୍ୟ ଲୋକମାନେ ପହଞ୍ଚି ସୁରେଶଙ୍କୁ ଉଦ୍ଧାର କରିଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।