ଭାଲୁ ଖାଉଛି ଭାଲିଆ, ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ଭାଲୁ

ରାମନାଗୁଡା,ଏନ୍ଏନ୍ଏସ୍: ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି ଭାଲୁ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଖିଲାମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ। ଲାଉଗୁଡା ପାହାଡ ନିକଟରେ ବିଦ୍ୟାଳୟ ରହିଥିବାରୁ ପାହାଡ଼ରେ ୨ଟି ଭାଲୁ ବୁଲୁଥିବାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି।

ଗତକାଲି ରାତି ପ୍ରାୟ ୧୧ଘଣ୍ଟା ସମୟରେ ୨ଟି ଭାଲୁ ଓହ୍ଲାଇ ବିଦ୍ୟାଳୟ ପରିସରରେ ଥିବା କାଜୁ ଗଛରୁ ଭାଲିଆ ଫଳ ପଡିଥିବା ବେଳେ ସେହି ଭାଲିଆକୁ ଖାଉଥିଲେ। ଏହି ଅଞ୍ଚଳ ପାଇଁ ଏହା ନୂଆ କଥା ନହୋଇ ଥିବା ବେଳେ ଭାଲୁ ରାସ୍ତା ଉପରେ ଲୋକଙ୍କୁ ଡ଼ରାଉଛି। ଜଙ୍ଗଲ ଗାଁକୁ ଲାଗି ରହିଥିବାରୁ ଖାଦ୍ୟ ଆଶାରେ ଭାଲୁମାନେ ଗାଁ ମୁହାଁ ହେଉଛନ୍ତି।