ଗାଈ ଚରାଇବାକୁ ଯାଇଥିଲେ: ଭାଲୁ ହାବୁଡରେ ପଡି ଗଲା ଜୀବନ

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ସାରୁଆଳୀ ପଞ୍ଚାୟତ ଅନ୍ତର୍ଗତ ଔତଳ ଗ୍ରାମ୍ୟ ଜଙ୍ଗଲରେ ସୋମବାର ସନ୍ଧ୍ୟାରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ନୂଆମୁଣ୍ଡା ଗ୍ରାମର ରାମ ମୁଣ୍ଡା (୫୦) ନାମକ ଜଣେ ବ୍ୟକ୍ତି ଅନ୍ୟ ଦିନମାନଙ୍କ ଭଳି ଔତଳ ଜଙ୍ଗଲକୁ ଗାଈ ଛେଳି ଚରାଇବାକୁ ଯାଇଥିଲେ। ଅପରାହ୍ନରେ ଗାଇଛେଳିଙ୍କୁ ନେଇ ଫେରୁଥିବାବେଳେ ଏକ ଭାଲୁ ହାବୁଡ଼ରେ ପଡିଯାଇଥିଲେ।

ଭାଲୁ ଆକ୍ରମଣରେ ରାମଙ୍କ ମୁହଁ ,ମୁଣ୍ଡ , ସମେତ ଶରୀରର ବିଭିନ୍ନ ଭାଗ ରେ କ୍ଷତ ସୃଷ୍ଟି ହେବାସହ ଘଟଣା ସ୍ଥଳରେ ରାମଙ୍କ ମୃତ୍ୟୁ ଘଟିଥିଲା । ସନ୍ଧ୍ୟାରେ ସେହିବାଟ ଦେଇ ଗ୍ରାମର ଅନ୍ୟ କେତେକ ଗ୍ରାମବାସୀ ଯିବାବେଳେ ନରହନ୍ତା ଭାଲୁକୁ ଦେଖିବା ସହ ରାମଙ୍କ ମୃତଦେହ ଜଙ୍ଗଲରେ ପଡିଥିବା ଦେଖିବାକୁ ପାଇଥିଲେ ।

ଏସମ୍ପର୍କରେ ଗ୍ରାମବାସୀମାନେ ରାମଙ୍କ ପରିବାରଲୋକଙ୍କୁ ସୂଚନା ଦେବାସହ ବାରକୋଟ ଥାନା ପୁଲିସ ଓ ବନବିଭାଗକୁ ସୂଚନା ଦେଇଥିଲେ । ସୂଚନା ପାଇ ବନବିଭାଗ କର୍ମଚାରୀ ଓ ପୁଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଆସନ୍ତାକାଲି ପାଲଲହଡା ଡାକ୍ତରଖାନାରେ ମୃତଦେହ ବ୍ୟବଛେଦ କରାଯିବ ବୋଲି ବରକୋଟ ଥାନା ଅଧିକାରୀ ଚିତ୍ତ ରଞ୍ଜନ ବେହେରା ସୂଚନା ଦେଇଛନ୍ତି।