ପାଇଖାନା ନିର୍ମାଣରେ ଦୁର୍ନୀତି ନେଇ ଚିତ୍ରକୋଣ୍ଡା ବିଡ଼ିଓ ନିଲମ୍ବିତ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ପୁଣିଥରେ ତୃଣମୂଳସ୍ତରର ଅଧିକାରୀଙ୍କ ଉପରେ ବାଜିଛି ଦୁର୍ନୀତି ବିରୋଧୀ ଛାଟ। ନବୀନ ସରକାରଙ୍କ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତିକୁ ଆଧାର କରି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଡ଼ିଓ ଲରିମନ ଖରସେଲଙ୍କୁ ନିଲମ୍ବିତ କରାଯାଇଛି। ବିଡିଓ ଜଣଙ୍କ ସ୍ୱଚ୍ଛ ଭାରତ ଯୋଜନା ଅଧୀନରେ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ପାଇଖାନା ବଣ୍ଟନରେ ଅନିୟମିତତା ଏବଂ ପାଇଖାନା ନିର୍ମାଣ ନକରି ଟଙ୍କା ଆତ୍ମସାତ୍‍ କରିଥିବା ଘଟଣା ସାମ୍ନାକୁ ଆସିଥିଲା।

ସ୍ପଷ୍ଟ ପ୍ରମାଣ ପାଇବା ପରେ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି। ତେବେ ଶୌଚାଳୟ ଦୁର୍ନୀତିରେ ଲିପ୍ତ ଥିବା ଚିତ୍ରକୋଣ୍ଡା ବ୍ଲକର ଅନ୍ୟ ଯନ୍ତ୍ରୀମାନଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ତାକୁ ଚିତ୍ରକୋଣ୍ଡା ବାସୀ ଅପେକ୍ଷା କରିଥିବା ଜଣାପଡ଼ିଛି।