ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ, ରାଜ୍ୟରେ ୩ ଦିନ ବର୍ଷିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୧୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବଙ୍ଗୋପସାଗର ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି। ତେବେ ଏହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହେବା ସହ ଉତ୍ତର ପଶ୍ଚିମ ଆଡକୁ ମୁହାଁଇବ ବୋଲି ଜଣାପଡ଼ିଛି। ସେହିପରି ଜୁନ୍ ୯ରୁ ରାଜ୍ୟରେ ବର୍ଷା ବଢ଼ିବ। ଏଥିସହିତ ରାଜ୍ୟରେ ଘଡଘଡି ସହିତ ବର୍ଷା ହେବ।

ପାଣିପାଗ ସ୍ଥିତିକୁ ଲକ୍ଷକରି ଆଇଏମଡି ପକ୍ଷରୁ ରାଜ୍ୟରେ କେତେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି। ଜୁନ୍ ୮ ସୁଦ୍ଧା ରାଜ୍ୟର କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସେନପୁର, ବୌଦ୍ଧ, କନ୍ଧମାଳ, ଅନୁଗୁଳ, ଢ଼େଙ୍କାନାଳ, ବରଗଡ଼, ନୟାଗଡ଼, ଗଞ୍ଜାମ, ବଲାଙ୍ଗିର, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁରରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି।

ସେହିପରି ଜୁନ୍ ୯ରେ ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ହେବ ଓ ଜୁନ୍ ୧୦ରେ ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଜୁନ୍ ୧୧ରେ ୧୦ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣଂ ଜାରି ହୋଇଛି।