ବସ୍ତିବାସିନ୍ଦାଙ୍କ ପାଇଁ ଦିଗହରା ଆବାସ, ଝୁମ୍ପୁଡିରେ ବିତୁଛି ଜୀବନ

ବ୍ରିଜେଶ ରଞ୍ଜନ ସାହୁ, ଦେବଗଡ଼

ସହରାଞ୍ଚଳରେ ବସବାସ କରୁଥିବା ଭୂମିହୀନ ଓ ଗରିବଙ୍କ ପାଇଁ ସରକାର ବିଭିନ୍ନ ଯୋଜନାରେ ଜମି ଓ ପକ୍କା ବାସଗୃହ ଯୋଗାଇ ଦେବା ପାଇଁ ଆବାସ ଯୋଜନା ଆରମ୍ଭ କରାଯାଇଥିବା ବେଳେ ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ୧୦ନଂ ୱାର୍ଡ ମୁଣ୍ଡାସାହିର ଗରିବ ବସ୍ତି ବାସିନ୍ଦାଙ୍କ କ୍ଷେତ୍ରରେ ଏ ଯାଏ ଏହିସବୁ ଯୋଜନା ଅପହଞ୍ଚ ହୋଇ ରହିଯାଇଛି। ଦେବଗଡ଼ ସହରାଞ୍ଚଳର ଦର୍ପଣି ମୁଣ୍ଡା, ସୁକାନ୍ତି ମୁଣ୍ଡା, ଇଚ୍ଛା ମୁଣ୍ଡା,ବୁଦୁନି ମୁଣ୍ଡା, ଝସକେତନ ନାଏକ ଓ ମନ୍ଦର ସୋଏ ଭଳି ୫୦ରୁ ଊଦ୍ଧ୍ୱର୍ ମୁଣ୍ଡା ଜନଜାତି ସମ୍ପ୍ରଦାୟର ଏହି ବସ୍ତିବାସିନ୍ଦାମାନେ ପ୍ରାୟ ଦୁଇ/ତିନି ପିଢ଼ିଧରି ଏଠାରେ ବସବାସ କରୁଥିବା ବେଳେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ମୂଲମଜୁରି ରୋଜଗାରର ସେମାନଙ୍କ ଏକମାତ୍ର ମାଧ୍ୟମ। ଏହି ଜନଜାତି ବସ୍ତିକୁ ସରକାରୀ ଯୋଜନା ଅପହଞ୍ଚ ହୋଇପଡ଼ିଛି।

ଓଡ଼ିଶା ଭୂ-ଅଧିକାର ଆଇନ ବଳରେ ପ୍ରତ୍ୟେକ ଭୂମିହୀନଙ୍କୁ ଭୂମି ପ୍ରମାଣପତ୍ର ସହ ଆବାସ ଯୋଜନାରେ ପକ୍କା ବାସଗୃହ ଯୋଗାଇ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ସରକାରଙ୍କ ଏହି ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ।ଆବାସ ଯୋଜନାରେ ସହରାଞ୍ଚଳର ଶତାଧିକ ହିତାଧିକାରୀ ଉପକୃତ ହୋଇଥିବା ବେଳେ ଅନେକ କ୍ଷେତ୍ରରେ ଅଯୋଗ୍ୟ ହିତାଧିକାରୀ ମଧ୍ୟ ବିଭାଗୀୟ କର୍ମଚାରୀଙ୍କୁ ହାତ କରି ଏହି ଯୋଜନାର ଲାଭ ଉଠାଉଛନ୍ତି। ଯେଉଁଥିପାଇଁ ୧୦ ନମ୍ବର ୱାର୍ଡ ବାସିନ୍ଦା ଏଥିରେ ବଞ୍ଚିତ ହେଉଛନ୍ତି। ସାଧାରଣ ଶିକ୍ଷାଠାରୁ ଦୂରରେ ଥିବା ଏହି ମୁଣ୍ଡା ବସ୍ତିବାସିନ୍ଦାମାନେ ଜମି ଓ ବାସଗୃହ ପାଇଁ ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟଠାରୁ ପୌର କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିରାଶ ହେଉଛନ୍ତି।

ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ପାଇଖାନ ଯୋଜନାରେ ପ୍ରତ୍ୟେକ ପରିବାର ପାଇଁ ଅର୍ଦ୍ଧନିର୍ମିତ ଭାବେ ପାଇଖାନା ନିର୍ମାଣ କରି ବିଭାଗ ପକ୍ଷରୁ ଅର୍ଥ ଆତ୍ମସାତ କରିଥିବା ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ଫଳରେ ଏବେ ବି ଏଠାକାର ଲୋକେ ଖୋଳରେ ମଳତ୍ୟାଗ କରୁଛନ୍ତି। ଏମାନଙ୍କ ପାଇଁ ସ୍ୱଚ୍ଛ ଭାରତ ମିଶନ ପ୍ରହସନରେ ପରିଣତ ହୋଇଛି। ଏଯାଏ ବସ୍ତି ବାସିନ୍ଦାଙ୍କ ମୌଳିକ ଅଧିକାର ପାଇଁ ବାସଗୃହ ଏ ଯାଏ ଯୋଗାଇ ଦିଆଯାଇ ପାରିନାହିଁ।

ସହରାଞ୍ଚଳ ଆବାସ ଯୋଜନା ଏମାନଙ୍କ ପାଇଁ ମୂଲ୍ୟହୀନ ହୋଇପଡ଼ିଛି। ଅତି ଦୟନୀୟ ଅବସ୍ଥାରେ ଲାକେ ଝୁମ୍ପୁଡ଼ି ମଧ୍ୟରେ ପଡ଼ି ରହିଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ଓ ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭିନସେଣ୍ଟ ପୁନମକାନ୍ତ ଏକ୍କାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ୧୦ନଂ ୱାର୍ଡ ମୁଣ୍ଡା ସାହିର ବସ୍ତିବାସିନ୍ଦା ସହରାଞ୍ଚଳ କ୍ଷେତ୍ରରେ ବସ୍ତି ସ୍ଥାପନ କରିଥିବାରୁ ସେମାନେ ଜନଜାତି ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ବିଧି ବ୍ୟବସ୍ଥା ନଥିବା ଯୋଗୁଁ ସେମାନଙ୍କୁ ବ୍ୟବସ୍ଥିତ କରାଯାଇ ପାରୁନାହିଁ ବୋଲି ମତବ୍ୟକ୍ତ କରିଥିଲେ।