କାଠମାଣ୍ଡୁ, ନେପାଳ: ‘ପୋଷଣ ପୁରୁଷ’ ବସନ୍ତ କୁମାର କରଙ୍କ ସଫଳ କାହାଣୀରେ ଯୋଡ଼ିହୋଇଛି ଉପଲବ୍ôଧର ଆଉ ଏକ ବିଶେଷ ଫର୍ଦ୍ଦ। ନେପାଳ ରାଜଧାନୀ କାଠମାଣ୍ଡୁରେ ଆୟୋଜିତ ଏକ ଭବ୍ୟ ସମାରୋହରେ ୨୦୧୯-ଗ୍ଲୋବାଲ ଟ୍ରାନ୍ସଫର୍ମ ନ୍ୟୁଟ୍ରିସନ୍ ଚାମ୍ପିଅନ ସମ୍ମାନରେ ସମ୍ମାନିତ କରାଯାଇଛି। ମିଳିତ ଜାତିସଂଘ ଦ୍ୱାରା ଆୟୋଜିତ ସ୍କେଲିଂ ଅପ୍ ନ୍ୟୁଟ୍ରିସନ୍ ଗ୍ଲୋବାଲ ଗାଦରିଂ(ସନ୍ ଜିଜି)ର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବସନ୍ତ କୁମାର କରଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଉପଲବ୍ଧ ହାସଲ କରିବାରେ ସମଗ୍ର ବିଶ୍ୱରେ ଶ୍ରୀ କର ହେଉଛନ୍ତି ୭ମ ବ୍ୟକ୍ତି।
ସାମ୍ପ୍ରତିକ ସ୍ଥିିତିରେ ସମଗ୍ର ବିଶ୍ୱ କୁପୋଷଣ ଭଳି ସମସ୍ୟା ସହ ଯୁଝୁଥିବାବେଳେ ଏହାର ମୁକାବିଲା ଏବଂ ଏଥିପାଇଁ ଲୋକଙ୍କୁ ସଚେତନ କରିବାକୁ ମିଳିତ ଜାତିସଂଘ ଅହରହ ତାର ପ୍ରୟାସ ଜାରିରଖିଛି। ସେଥିପାଇଁ ସ୍ୱତନ୍ତ୍ର ଭାବରେ ସ୍କେଲିଂ ଅପ୍ ନ୍ୟୁଟ୍ରିସନ ଆନ୍ଦୋଳନ ଚାଲିଥିବାବେଳେ ବିଶ୍ୱର ଅନେକ ଦେଶ ଏଥିରେ ସାମିଲ ହୋଇଛନ୍ତି। ନଭେମ୍ବର ୫ ତାରିଖରେ ନେପାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୬୧ଦେଶର ୧ହଜାରରୁ ଅଧିକ ପୋଷଣ କାର୍ଯ୍ୟକର୍ତ୍ତା ଏଥିରେ ସାମିଲ ହୋଇଥିଲେ। ତେବେ ସୁସ୍ଥ ଶରୀର, ବିକଶିତ ବିଶ୍ୱ ଦିଗରେ ବିଶେଷ ଅବଦାନ ଏବଂ ନେତୃତ୍ୱ ପାଇଁ ବସନ୍ତ କରଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟôତ ବୟସ୍କ, ମହିଳା ଏବଂ ଶିଶୁମାନଙ୍କୁ କିଭଳି ସୁସ୍ଥ ସବଳ ଏବଂ ନିରୋଗ ରଖାଯାଇପାରିବ ସେ ଦିଗରେ ଆରମ୍ଭ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଶ୍ରୀ କରଙ୍କ ଅବଦାନ ଏବଂ ପ୍ରେରଣା ଯୋଗୁଁ ସେ ଏହି ସମ୍ମାନଜନକ ପୁରସ୍କାର ହାସଲ କରିଛନ୍ତି।
ଏହି ପୁରସ୍କାର ଗ୍ରହଣ ଅବସରରେ ଶ୍ରୀ କର ତାଙ୍କର ବକ୍ତବ୍ୟରେ ଜନ୍ମମାଟି ଓଡ଼ିଶାରେ ରହିଥିବା କୁପୋଷଣଜନିତ ସମସ୍ୟା ସମ୍ପର୍କରେ ଉଲ୍ଲେଖ କରିଥିଲେ। ତାଙ୍କ ଜନ୍ମମାଟି ଓଡ଼ିଶାରେ ସେ କୁପୋଷଣ ଓ ଅପପୁଷ୍ଟିର ଭୟାବହ କରୁଣ ଚିତ୍ରକୁ ପ୍ରଥମେ ଦେଖିଥିଲେ। ଏବଂ ତାପରେ ଏଦିଗରେ ଲୋକଙ୍କୁ ସଚେତନ କରିବା ସହ କେମିତି ଭାବରେ କୁପୋଷଣ ଭଳି ସମସ୍ୟାର ସମାଧାନ ହୋଇପାରିବ, ତାର ସଫଳ ମୁକାବିଲା କରାଯାଇପାରିବ ସେ ଦିଗରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ।
କେନ୍ଦ୍ରପଡ଼ା ଜିଲ୍ଲା ଡେରାବିଶ ବ୍ଲକ ବାତରା ଶାସନରେ ଜନ୍ମଗ୍ରହଣ କରିଥିବା ବସନ୍ତ କୁମାର କର ଦାରିଦ୍ର୍ୟ ଏବଂ କୁପୋଷଣ ସହ ଲଢ଼େଇକୁ ଅତି ନିକଟିରୁ ଦେଖିଛନ୍ତି, ଉପଲବ୍ଧ କରିଛନ୍ତି। ସେହିଦିନରୁ ହିଁ ସେ ଏହି ସମସ୍ୟା ସହ କେମିତି ଲଢ଼ିବେ ତାହା ଚିନ୍ତା କରିଥିଲେ। ବ୍ୟକ୍ତିଗତ ଭାବେ ନୁହେଁ ବରଂ ସାମୂହିକ ଭାବରେ ଏଭଳି ସମସ୍ୟାର ମୁକାବିଲା ସମ୍ଭବ ଏବଂ ଏକତ୍ର ଭାବରେ ହିଁ ସମାଜରେ ପରିବର୍ତ୍ତନ ଆଣିହେବ ବୋଲି ସେ ହୃଦୟଙ୍ଗମ କରିଥିଲେ। ସେଥିପାଇଁ କୁପୋଷଣ ଏବଂ ଅପପୁଷ୍ଟି ସହ ଲଢ଼ିବାକୁ ସେ ତୃଣମୂଳସ୍ତରରେ ହିଁ ପ୍ରଥମେ ଲୋକଙ୍କୁ ସଚେତନ କରିଥିଲେ। ଏଦିଗରେ ଅଭିଯାନ ଆରମ୍ଭ କରିବା ପରେ ଶ୍ରୀ କରଙ୍କୁ ଅନେକ ସଫଳତା, ସ୍ୱୀକୃତି ଏବଂ ସମ୍ମାନ ମିଳିଛି। ଦକ୍ଷିଣ ଏସିଆର ଆଦର୍ଶ ଉପଲବ୍ଧି ପାଇଁ ୨୦୧୬ରେ ‘ଟ୍ରାନ୍ସଫର୍ମ ନ୍ୟୁଟ୍ରିସନ୍ ଚାମ୍ପିଅନସ୍ ଆୱାର୍ଡ’ ପ୍ରଦାନ କରାଯାଇଥିଲା।
ଭାରତ ଏବଂ ବାଲାଂଦେଶରେ ଏହି ପୁରସ୍କାର ହାସଲ କରିବାରେ ସେ ହେଉଛନ୍ତି ଏକମାତ୍ର ବ୍ୟକ୍ତି। ୨୦୧୬ରେ ହିଁ ଶ୍ରୀ କରଙ୍କୁ ଓଡ଼ିଶାରେ ପୋଷଣ ଯୋଜନା ଏବଂ ଅଭିଯାନରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ଲିଭିଂ ଲିଜେଣ୍ଟ୍ ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୮ରେ ଜାତୀୟ ପୋଷଣ ଅଭିଯାନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ମଧ୍ୟ ସେ ସମ୍ମାନିତ ହୋଇଛନ୍ତି। ସମ୍ପ୍ରତି ଶ୍ରୀ କର କେନ୍ଦ୍ର ସରକାରଙ୍କ ନୀତି ଆୟୋଗରେ ପୋଷଣ ଉପଦେଷ୍ଟା ମଣ୍ଡଳୀର ଉପଦେଷ୍ଟା ଭାବରେ କାର୍ଯ୍ୟରତ ଏବଂ ଏଦିଗରେ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ପ୍ରଣୟନ କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। କେନ୍ଦ୍ର ମହିଳା ଓ ଶିଶୁବିକାଶ ମନ୍ତ୍ରାଳୟରେ ମଧ୍ୟ ବିଶେଷଜ୍ଞ ସଦସ୍ୟ ରହିଛନ୍ତି।
‘ପିଭେନ୍ସନ୍ ଅଫ୍ ମାଲନ୍ୟୁଟ୍ରିସନାଲ ଆଣ୍ଡ ଇନଫାଣ୍ଟ୍ ଆଣ୍ଡ୍ ଚାଇଲ୍ଡ ନ୍ୟୁଟ୍ରିସନ(ଆଇୱାଇଏନସି)ସଂସ୍ଥାର ସଦସ୍ୟ ଭାବରେ ମଧ୍ୟ ସେ ବିଭିନ୍ନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛନ୍ତି। ଖ୍ୟାତନାମା ବୈଜ୍ଞାନିକ ପ୍ରଫେସର୍ ଏମ ଏସ ସ୍ୱାମୀନାଥନଙ୍କ ନେନୃତ୍ୱରେ ପୋଷଣ ସମ୍ବନ୍ଧିତ ଅଭିନବ କାର୍ଯ୍ୟକ୍ରମ ‘ଦି କୋଲିସନ୍ ଫର ଫୁଡ୍ ଆଣ୍ଡ୍ ନ୍ୟୁଟ୍ରିସନ୍ସ୍ ସିକ୍ୟୁରିଟି’ ଆରମ୍ଭ କରିଛନ୍ତି। ପୁଣି ବିଶ୍ୱର ପୋଷଣ ଏବଂ ସ୍ୱାଓ୍ୟ ସୂଚକାଙ୍କକୁ ଆଧାର କରି ୨୦୧୬ରେ ଭାରତାରେ ଗ୍ଲୋବାଲ୍ ରିପୋର୍ଟ ପ୍ରସ୍ତୁତ କରିଥିଲେ ଶ୍ରୀ କର। ଦେଶର ଅନ୍ୟତମ ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ଆଉଟଲୁକ ମିଡିଆର ମିଳିତ ସହଯୋଗରେ ଭାରତରେ ପ୍ରଥମ ପୋଷଣ ସମ୍ମାନ ଆରମ୍ଭ କରିଥିଲେ। ଏହି ଉଦ୍ୟମକୁ ଭାରତର ଉପରାଷ୍ଟ୍ରପତି ମଧ୍ୟ ବେଶ ପ୍ରଶଂସା କରିଥିଲେ। କୁପୋଷଣ ଏବଂ ଅପପୁଷ୍ଟିକୁ ନେଇ ବସନ୍ତ କୁମାର କରଙ୍କ ପୁସ୍ତକ ସଙ୍କଳନ ‘ଦି ଅନଫୋଲ୍ଡ ପିନାକଲ୍’କୁ ନୋବେଲ ଶାନ୍ତି ପୁରସ୍କାରପ୍ରାପ୍ତ ପ୍ରଫେସର୍ ମହମ୍ମଦ ୟୁନୁସ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି।
ଏସବୁ ବ୍ୟତୀତ ଶ୍ରୀ କର ନିଜ ରାଜ୍ୟ ଓଡ଼ିଶାରେ ମଧ୍ୟ ଅନେକ ଯୋଜନା ଆରମ୍ଭ କରିଛନ୍ତି। ଓଡ଼ିଶାକୁ ଫାଇଲେିରିଆ, ମ୍ୟାଲେରିଆ ଏବଂ କୁପୋଷଣମୁକ୍ତ କରିବାକୁ ସେ ଅଭିଯାନ ଆରମ୍ଭ କରିଛନ୍ତି। ଦେଶର ମ୍ୟାଲେରିଆ ଆକ୍ରାନ୍ତଙ୍କ ମଧ୍ୟରେ କେବଳ ୪୦ ପ୍ରତିଶତ ଓଡ଼ିଶରେ ଥିବାରୁ ସେ ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ୧୯୯୯ ମହାବାତ୍ୟା ପରିବର୍ତ୍ତୀ ସମୟରେ ‘କମ୍ୟୁନିଟ ବେସଡ୍ ରିହାବିଲିଟେସନ୍’(ସିବିଆର୍) ଯୋଜନାରେ ମହିଳା ଏବଂ ଶିଶୁଙ୍କ ପାଇଁ ଅନେକ କାର୍ଯ୍ୟ କରି ପ୍ରଶଂସିତ ହୋଇଥିଲେ। ଏହାଛଡ଼ା ପଡ଼ୋଶୀ ଛତିଶଗଡ଼ରେ ମଧ୍ୟ ପୁପୋଷଣ ବିରୋଧରେ ସଂଗ୍ରାମ ଜାରି ରଖିବା ସହ ସେଠାକାର ସରକାରଙ୍କୁ ବିଭିନ୍ନ ବୈଷୟିକ ସହାୟତା ଯୋଗାଇ ଦେଉଛନ୍ତି।
ସେହିଭଳି ବିହାରରେ ଜୀବିକା କାର୍ଯ୍ୟକ୍ରମ ଜରିଆରେ ମହିଳାମାନଙ୍କୁ ନେଇ କୁପୋଷଣ ବିରୋଧରେ ଏକ ଅଭିନବ ଯୋଜନା ଆରମ୍ଭ କରିଛନ୍ତି। କେବଳ ଏତିକି ନୁହେଁ ଶ୍ରୀକର ବାଲାଂଦେଶର ବିଦ୍ୟାଳୟରେ ପ୍ରଥମଥର ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ଏବଂ ଏଥିପାଇଁ ସୁଷମ ଖାଇବାତେଲର ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ଏହାର ପରିମାଣସ୍ୱରୂପ ବର୍ତ୍ତମାନର ସମୟରେ ବାଲାଂଦେଶ ଜନସଂଖ୍ୟାର ୮୫ ପ୍ରତିଶତ ଲୋକଙ୍କୁ ଏହାର ଫାଇଦା ମିଳିପାରୁଛି। ଏଭଳି ଭାବରେ ବାଲାଂଦେଶରେ ମଧ୍ୟ ‘ସ୍କେଲିଂ ଅପ୍ ନ୍ୟୁଟ୍ରିସନ୍’(ସନ୍)ଅଭିଯାନକୁ ବ୍ୟାପ୍ତ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ଏହାଛଡ଼ା ସମଗ୍ର ଦକ୍ଷିଣଏସିଆରେ କୁପୋଷଣ ନିରାକାର ଏବଂ ବିକାଶ ଦିଗରେ ଚାଲିଥିବା ଅଭିଯାନରେ ସେ ସଦସ୍ୟ ରହିଛନ୍ତି।
୨୦୧୨ରେ ସ୍ୱିଜରଲ୍ୟାଣ୍ଡର ‘ସାଇଟ୍ ଆଣ୍ଡ୍ ଲାଇଫ୍’ ସଂସ୍ଥା ପକ୍ଷରୁ ଆରମ୍ଭ ହୋଇଛି। ଶ୍ରୀ କରଙ୍କ ପୂର୍ବରୁ ବିଶ୍ୱର ୬ଜଣଙ୍କୁ ଉକ୍ତ ସମ୍ମାନଜନକ ପୁରସ୍କାର ମିଳିସାରିଛି। ୨୦୧୨ରେ ଡେଭିଡ୍ ନାବାରୋ, ୨୦୧୩ରେ ଡ଼ ରୋବର୍ଟ ବ୍ଲକ, ୨୦୧୪ରେ ଆନ୍ନା ଲାର୍ଟି, ୨୦୧୫ରେ ଶନ୍ ବେକର୍, ୨୦୧୬ରେ ଶିଳ୍ପା ଭାଟ୍ଟେ ଓ ୨୦୧୭ରେ ଏଲିନା ପିୱୋଜଙ୍କୁ ଏହି ସମ୍ମନ ମିଳିସାରିଛି।