କାଶ୍ମୀରରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ: ଜଣେ ସେନାଧିକାରୀ ଆହତ, ୨ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଉତ୍ତର କଶ୍ମୀରର ବାରାମୁଲା ଜିଲ୍ଲାରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହେବା ଯୋଗୁ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅନ୍ୟପଟେ ଜଣେ ସୈନ୍ୟ ଅଧିକାରୀ ଆହତ ହୋଇଥିବା ନେଇ ସୂଚନା ମିଳିଛି। ପୁଲିସ ଓ ସେନାର ସଂଯୁକ୍ତ ଟିମ୍ ୟେଦୀପୋରାରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ଉକ୍ତ ଅଞ୍ଚଳକୁ ଘେରାଉ କରିଥିଲେ। ପରେ ଆତଙ୍କବାଦୀ ଗୁଳି ଚାଳନା ଆରମ୍ଭ କରିଥିଲେ। ଆଉ ଏହାର ଜବାବ ଦେବାକୁ ଯାଇ ସେନା ପକ୍ଷରୁ ମଧ୍ୟ ଗୁଳିଚାଳନା କରାଯାଇଥିଲା।

ସେନା ଅଧିକାରୀଙ୍କ ସୂଚନା ମୁତାବକ, ପ୍ରାରମ୍ଭିକ ଗୁଳି ଚାଳନାରେ ହିଁ ସେନାର ଜଣେ ଅଧିକାରୀ ଆହତ ହୋଇଥିଲେ। ଆହତ ସେନାଧିକାରୀଙ୍କୁ ‘୯୨ ବେସ’ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଥିବାବେଳେ ଅତିରିକ୍ତ ବଳକୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି।