ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଚୋରି

ବାରିପଦା, ଏନ୍ଏନ୍ଏସ୍: ବାରିପଦା ସହରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ପ୍ରାୟ ୩ ଶହ ଫୁଟ୍ ଓ ଜିଲ୍ଲା ଏସପିଙ୍କ ବାସଭବନଠାରୁ ପ୍ରାୟ ୪ ଶହ ଫୁଟ୍ ଦୂର ବିଜୁ ଗୋଲେଇ-ଭପୁର ମୁଖ୍ୟ ରାସ୍ତା ପାଶ୍ୱର୍ରେ ଥିବା କେପିଡି ସନ୍ସ ଜୁଏଲାରସରୁ ରବିବାର ରାତିରେ ୨୦ରୁ ୨୫ କି.ଗ୍ରା ଓଜନର ରୁପା ଓ ୫୦ରୁ ୧୦୦ ଗ୍ରାମ ଓଜନର ସୁନା ଅଳଙ୍କାର ଚୋରି ହୋଇଥିବା ଦୋକାନ ମାଲିକ କିଶୋର କୁମାର ଦେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଗତକାଲି ରାତି ପ୍ରାୟ ସାଢ଼େ ୧୨ରୁ ଭୋର ୫ଟା ମଧ୍ୟରେ କେତେକ ଅଜଣା ଦୁର୍ବୃତ୍ତ ଦଉଡ଼ି ସାହାଯ୍ୟରେ ଦୋକାନର ଛାତ ଉପରକୁ ଚଢ଼ି ଛାତରେ ଲାଗିଥିବା କବାଟକୁ ଭାଙ୍ଗି ତଳକୁ ଉହ୍ଲାଇ ଆସିଥିଲେ। ଏହାପରେ ତଳ ମହଲାକୁ ପ୍ରବେଶ କରିବା ପାଇଁ ରହିଥିବା ଲୁହା ଗେଟ୍ ଓ ଦୋକାନର ଲୁହା ଗ୍ରୀଲକୁ ଗ୍ୟାସ କଟରରେ କାଟି ଦୋକାନ ଭିତରକୁ ପଶିଥିଲେ। ସେହିପରି ଦୋକାନ ଭିତରେ ଥିବା ଆଇରନ ଲକ୍କରକୁ ମଧ୍ୟ ଗ୍ୟାସ କଟରରେ କାଟି ନଷ୍ଟ କରି ଦେଇଥିଲେ ମଧ୍ୟ ଭିତରେ ରହିଥିବା ଅଳଙ୍କାର ଆଦିକୁ ନେଇ ପାରିନଥିଲେ। କେବଳ ଲକ୍କର ବାହାରେ ରହିଥିବା ୨୦ରୁ ୨୫ କି.ଗ୍ରାମ ଓଜନର ରୁପା ଓ ୫୦ରୁ ୧୦୦ ଗ୍ରାମ ଭିତରେ ଥିବା ସୁନା ଅଳଙ୍କାରଗୁଡ଼ିକୁ ଚୋରି କରି ନେଇଯାଇଥିଲେ। ଦୁର୍ବୃତ୍ତମାନେ ଯିବା ସମୟରେ ଚୋରିରେ ବ୍ୟବହୃତ ୨ଟି ଗ୍ୟାସ ସିଲିଣ୍ଡର, ଗ୍ୟାସ କଟ୍ଟର, ଲୁହା ଶାବଳ, ସ୍କୃଡ୍ରାଇଭର ଓ ଦଉଡ଼ି ଆଦିକୁ ଦୋକାନ ଭିତରେ ଛାଡ଼ି ଦେଇ ଯାଇଥିବା ବେଳେ ଦୋକାନରେ ଲାଗିଥିବା ସି ସି ଟିଭି କ୍ୟାମେରାକୁ ମଧ୍ୟ ଭାଙ୍ଗି ନଷ୍ଟ କରିଦେଇ ଯାଇଥିବାର ଦୋକାନ ମାଲିକ ଶ୍ରୀଦେ ଥାନାରେ ଅଭିଯୋଗ କରିଛନ୍ତି।