ଦୋକାନରୁ ଟଙ୍କା ବ୍ୟାଗ ଚୋରି, ଅଭିଯୁକ୍ତ ବନ୍ ଜାରାଙ୍କୁ ମାଡ଼

ବାରିପଦା,ଏନ୍ଏନ୍ଏସ୍: ଗତକାଲି ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକର ରଙ୍ଗାମାଟିଆ ସାପ୍ତାହିକ ହାଟରେ ଲୁଗା ବ୍ୟବସାୟୀଙ୍କ ଟଙ୍କା ବ୍ୟାଗ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଟଙ୍କା ବ୍ୟାଗ ବନଜାରା ଚୋରି କରିଥିବା ସନ୍ଦେହ କରି ଆଜି ଶାମାଖୁଣ୍ଟା ବ୍ଲକର ବାଲିଡ଼ିହା ନୂଆଗାଁର ସନ୍ୟାସୀ ସିଂ ଏବଂ ତାଙ୍କର କେତେକ ସାଥୀମାନେ ସଦର ଥାନା ବାଉଁଶବିଲା ପଞ୍ଚାୟତ ଦାଡ଼ଦୁଡ଼ ମୌଜାର ଚାଷ ଜମିରେ ତମ୍ବୁ ମାରି ରହୁଥିବା ସ୍ଥାନରେ ପହଞ୍ଚିଥିଲେ। ସେଠାରେ ସନ୍ୟାସୀ ଓ ତାଙ୍କ ସାଥୀମାନେ ଟଙ୍କା ବ୍ୟାଗ ଚୋରି ବିଷୟରେ ସେମାନଙ୍କୁ ପ୍ରଶ୍ନ କରିବାରୁ ବନଜାରାମାନେ ମାନି ନ ଥିଲେ। ତଲାସି ନେବାପରେ ସନ୍ୟାସୀଙ୍କ ବ୍ୟାଗ ମିଳିଥିଲା ଏବଂ ତା ଭିତରେ ଏକ ହଜାର ଟଙ୍କା ଥିଲା।

ସନ୍ୟାସୀ ଓ ତାଙ୍କ ସାଥୀମାନେ ରାଗିଯାଇ ବନଜାରା ତଥା ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ରମେଶ ଚନ୍ଦ୍ର ଦାସଙ୍କୁ ଲାଠିରେ ଆକ୍ରମଣ କରିବା ସହିତ ଗୁପ୍ତାଙ୍ଗକୁ ଆକ୍ରମଣ କରିଥିଲେ। ଫଳରେ ବନଜାରା ରମେଶ ଆହତ ହୋଇଥିଲେ। ଲାଠି ମାଡ଼ରେ ତାଙ୍କ ପିଠି ଫାଟି ଯାଇଥିଲା। ଖବର ପାଇ ପୁଲିସ ସେଠାରେ ପହଞ୍ଚିଥିଲା। ଦାଡ଼ଦୁଡ଼ ବାରିପଦା ସଦର ଥାନା ଅଧୀନରେ ହୋଇଥିବାରୁ ସଦର ଥାନାକୁ ଖବର ଦେଇଥିଲେ। ଅଭିଯୁକ୍ତ ରମେଶକୁ ବାରିପଦା ପିଆରଏମ ମେଡ଼ିକାଲକୁ ନେବାପାଇଁ ପରାମର୍ଶ ଦେବା ସହ ମାଡ଼ ମାରିଥିବା ସନ୍ୟାସୀ ଓ ତାଙ୍କ ସାଥୀମାନଙ୍କୁ ତାଗିତ କରିଥିଲେ। ତେବେ ଏହି ଚୋରି ଘଟଣାକୁ ନେଇ ଅଭିଯୁକ୍ତ ରମେଶଙ୍କ ନାମରେ ବାରିପଦା ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।